ମଣ୍ଡି ଖୋଲାଯାଇଛି, ଧାନ କିଣା ହେଉନି

ଚଳିତବର୍ଷ ଭଦ୍ରକ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ …

ଭଦ୍ରକ: ଚଳିତବର୍ଷ ଭଦ୍ରକ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ କ୍ଷେତ୍ରରେ ଅବଳାବସ୍ଥା ସୃଷ୍ଟି ହୋଇଛି। ଜିଲ୍ଲାରେ ଖରିଫ ଧାନ ସଂଗ୍ରହକୁ ଏହା ଭିତରେ ୧୫ ଦିନ ବିତିବାକୁ ବସିଲାଣି ହେଲେ ଜିଲ୍ଲାର ଚାଷୀ ଧାନ ବିକି ପାରିଲେ ନାହିଁ। ଧାନ କିଣାରେ ଅଚଳାବସ୍ଥା ନେଇ ଚାଷୀଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଧାନ ସରକାରୀ ମଣ୍ଡିରେ କିଣା ନହେଲେ ଆଉ କିଛି ଦିନପରେ ଜିଲ୍ଲାର ସବୁ ଚାଷୀ କଥା ହେଲେଣି, ଧାନ ଆଣି ଜିଲ୍ଲାପାଳଙ୍କ ଅଫିସ ଆଗରେ ଗଦା କରିବେ ବୋଲି ଖୋଲାଖୋଲି କହିବା ଆରମ୍ଭ କଲେଣି।

ଚଳିତ ମାସ ୫ ତାରିଖ ଦିନ ଭଦ୍ରକ ଜିଲ୍ଲାରେ ଖରିଫ ଧାନ ସଂଗ୍ରହର ଶୁଭାରମ୍ଭ କରାଗଲା। ଚାଷୀଙ୍କୁ ୪୮ ଘଂଟାରେ ସେମାନଙ୍କ ପ୍ରାପ୍ୟ ମିଳିବ ବୋଲି କୁହାଗଲା। ଜିରୋ କଟିଙ୍ଗରେ ଧାନ କିଣା ହେବ ଏବଂ ସରକାର କୁଇଂଟାଲ ପିଛା ୮୦୦ ଟଙ୍କାର ଇନପୁଟ ସବ୍‌ସିଡି ଦେବେ ବୋଲି ପ୍ରତିଶ୍ରୁତି ମିଳିଲା। ନେତା ମଣ୍ଡି ଉଦ୍‌ଘାଟନ କରିଦେଲେ। କିନ୍ତୁ ଧାନ କିଣା ହେଲା ନାହିଁ। ମଣ୍ଡି ଖୋଲିଲା। ହେଲେ ଧାନ କିଣା ଆରମ୍ଭ ହେଉନି। କୁହାଯାଉଛି ମିଲରମାନେ ଧାନ ଉଠାଉ ନାହାନ୍ତି। ଏମିତି ୧୫ ଦିନ ବିତିଗଲାଣି। ମିଲରଙ୍କ ମନମାନି ଯୋଗୁଁ ଧାନ କିଣାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ପ୍ରଶାସନ କହିଲେ ଜିରୋ କଟିଂରେ ଧାନ କିଣା ହେବ। ଚାଷୀଙ୍କ ଠାରୁ ଧାନ କିଣା ବେକେ ଗୋଟିଏ କେଜି ବି କଟାଯିବ ନାହିଁ। ଜିଲ୍ଲାପାଳଙ୍କର ଏଭଳି ତାଗିଦ ପରେ ମିଲର ଓ ସମବାୟ ସମିତି ଓ ମହିଳା ସମିତି ଗୁଡ଼ିକ ଅଡ଼ୁଆରେ ପଡ଼ି ଯାଇଛନ୍ତି। ସେମାନେ କହୁଛନ୍ତି ଜିରୋ କଟିଙ୍ଗରେ ଧାନ କିଣିବାକୁ ହେଲେ ଏଫ୍‌ଏକ୍ୟୁ ମାନର ଧାନ ଚାଷୀ ଦେଉ। ବାସ୍ତବରେ ଜିଲ୍ଲାରେ ଏଫ୍‌ଏକ୍ୟୁ ମାନ ଧାନ ମିଳିବା ସମ୍ଭବ ନୁହେଁ। ଏପରି ସ୍ଥଳରେ ପ୍ରଶାସନ, ମିଲର ମିଳିତ ଭାବରେ କିଛି ନିଷ୍ପତି ନିଅନ୍ତୁ। ନହେଲେ ଚାଷୀ ଧାନ ବିକ୍ରି କରିବା ସହଜ ହେବ ନାହିଁ।

ଜିଲ୍ଲା ଯୋଗାଣ ନିଗମ କହୁଛି ଖୁବ ଶୀଘ୍ର ଚାଷୀଙ୍କର ଧାନ କିଣା ଯିବ। ହେଲେ ଜିଲ୍ଲାରେ ଆଜି ସୁଦ୍ଧା ଧାନ କିଣା ଶୂନ, ଯାହାକୁ ନେଇ କେବଳ ଚାଷୀ କ୍ଷୁବ୍ଧ ହୋଇଛନ୍ତି ତା ନୁହେଁ; ବରଂ ରାଜନୈତିକ ସ୍ତରରେ ଜିଲ୍ଲାବ୍ୟାପି ବଡ଼ ଧରଣର ଆନ୍ଦୋଳନ ଡାକରା ଦିଆଗଲାଣି। ଶୁକ୍ରବାର କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଏବଂ କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାବ୍ୟାପି ଜୋରଦାର ଆନ୍ଦୋଳନ କରାଯିବ। ଅନ୍ୟ ସବୁ ରାଜନୈତିକ ଦଳ ମଧ୍ୟ ପ୍ରତିବାଦ କରିବା ସହ ଆନ୍ଦୋଳନ ଚେତାବନୀ ଦେଉଛନ୍ତି। କଂଗ୍ରେସ ଜିଲ୍ଲା ସଭାପତି ନଳିନୀକାନ୍ତ ମହାନ୍ତି ଚାଷୀଙ୍କ ଧାନ କିଣା ନହେଲେ ଜୋରଦାର ଆନ୍ଦୋଳନ କରିବେ ବୋଲି କହିଛନ୍ତି। ତୁରନ୍ତ ମଣ୍ଡି ଖୋଲି ଚାଷୀ ଏବଂ ଭାଗ ଚାଷୀଙ୍କଠାରୁ ଧାନ କିଣିବା, ଟୋକନ ପ୍ରହସନ ବନ୍ଦ କରିବା, ସବୁ ଚାଷୀଙ୍କୁ କୃଷି ଏବଂ ମହାଜନୀ ଋଣ ଛାଡ଼ କରିବା ଆଦି ଦାବିରେ ୧୯ ତାରିଖରେ ଜିଲ୍ଲା ବ୍ୟାପି ଆନ୍ଦୋଳନ ଏବଂ ପ୍ରତିବାଦ କରିବାକୁ ଦେତାବନା ଦେଇଛନ୍ତି କୃଷକ ସଂଗଠନ। ତେଣେ ଜିଲ୍ଲା ଯୋଗାଣ ଅଧିକାରା ମନମୋହନ ପଟ୍ଟନାୟକ ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଥିବା କହିଥିଲେ ମଧ୍ୟ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଜଣେ ହେଲେ ଚାଷୀ ଧାନ ବିକି ନଥିବା କଥା ଏଆରସିଏସ ପ୍ରତୀତା ଜେନା କହିଛନ୍ତି। ଏଆରସିଏସଙ୍କ କହିବା ଅନୁଯାୟୀ ଶୁକ୍ରବାର କିଛି ସ୍ଥାନରେ ଚାଷୀ ମଣ୍ଡିକୁ ଧାନ ବିକ୍ରି ପାଇଁ ଆଣିଥିଲେ। ହେଲେ ଆଣୁଥିବା ଧାନ ଏଫଏକ୍ୟୁ ମାନର ନହେବାରୁ ତାକୁ ଫେରାଇ ଦିଆଯାଇଛି। ଚଳିତ ବର୍ଷ ଜିଲ୍ଲାରେ ଜିରୋ କଟିଙ୍ଗରେ ଧାନ କିଣା ଲାଗି ଚାଷୀଙ୍କୁ ଏଫଏକ୍ୟୁମାନର ଧାନ ଆଣିବାକୁ ଏବଂ ଧାନ ଏଫଏକ୍ୟୁ ମାନର ନହେଲେ ଧାନ ଫେରାଇ ଦେବାକୁ ନିର୍ଦ୍ଦେଶକୁ ଏବେ ମଣ୍ଡିଗୁଡିକ ଅକ୍ଷରେ ଅକ୍ଷରେ ପାଳନ କରୁଥିବା ଯୋଗୁ ଧାନ ସଂଗ୍ରହ କ୍ଷେତ୍ରରେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। କୁହାଯାଇଛି ଏହା ପଛରେ ଏକ ଷଡ଼ଯନ୍ତ୍ର ରହିଛି। ଏଭଳି କି ନୀତି ଆପଣେଇ ଜିଲ୍ଲା ପ୍ରଶାସନ/ସରକାର ପରୋକ୍ଷରେ ଧାନ ସଂଗ୍ରହକୁ ନିରୁତ୍ସାହିତ କରିଛନ୍ତି। କୁଇଂଟାଲ ପିଛା ଅତିରିକ୍ତ ୮୦୦ ଟଙ୍କାର ଇନ୍‌ପୁଟ ସ୍ଥିତି ଯୋଗୁ ଚଳିତ ବର୍ଷ ଯେଉଁ ଭଳି ଚାଷୀ ପଞ୍ଜୀକରଣ ହୋଇଛି। ସବୁ ଚାଷୀଙ୍କ ଧାନ କିଣିଲେ ସରକାର କେବଳ ଭଦ୍ରକ ଜିଲ୍ଲାରୁ ଅତି କମରେ ୫୦ ଲକ୍ଷ କୁଇଂଟାଲ ଧାନ କିଣିବାକୁ ବାଧ୍ୟ ହେବେ। ଯେଉଁଥିରେ ସରକାରଙ୍କୁ କେବଳ ଭଦ୍ରକ ଜିଲ୍ଲାରେ ଅତିରିକ୍ତ ପ୍ରାୟ ୪୦୦ କୋଟି ଟଙ୍କା ବ୍ୟୟ କରିବାକୁ ପଡିବ।