ଭୁବନେଶ୍ୱର (ଏସ ନ୍ୟୁଜ): କରୋନା କଟକଣା ମଧ୍ୟରେ ଶେଷ ହେଲା ଶକ୍ତିସ୍ୱରୂପଣୀ ମା’ଦୁର୍ଗାଙ୍କ ପୂଜା। ବିଦାୟ ନେଉଛନ୍ତି ଜଗଜ୍ଜନନୀ ମା’ ଦୁର୍ଗା। ଆଜି ହେଉଛି ଭସାଣ ଉତ୍ସବ। ମୂର୍ତ୍ତି ବିସର୍ଜନ ପାଇଁ କେତେକ ସ୍ଥାନରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ତେବେ ଏଥର ବିନା ଭକ୍ତରେ ସିନା ପୂଜା ହୋଇଥିଲା ମା’ଙ୍କ ମେଲାଣିକୁ ନେଇ ଭାଵ ବିଭୋର ହୋଇଛି ଶ୍ରଦ୍ଧାଳୁ ।

ମୂର୍ତ୍ତି ବିସର୍ଜନକୁ ନେଇ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାଜଧାନୀର କେତେକ ସ୍ଥାନରେ ଭସାଣ ଶୋଭାଯାତ୍ରା ଅନୁଷ୍ଠିତ ହେବ। ମୂର୍ତ୍ତି ବିସର୍ଜନ ପାଇଁ ୪ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି।ଭସାଣ ଉତ୍ସବ ନେଇ କମିଶନରେଟ୍ ପୁଲିସ ପରୁ ନିର୍ଦେଶନାମା ଜାରି କରାଯାଇଛି।
ସେହିପରି କଟକରେ ଆଜି ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ କଟକ ସହରରେ ଭସାଉ ଉତ୍ସବ ଅନୁଷ୍ଠିତ ହେବ। ଭସାଣ ଉତ୍ସବ ପାଇଁ ସମସ୍ତ ପୂଜା ମଣ୍ଡପ ସକାଶେ ୪ ପର୍ଯ୍ୟାୟ ସମୟ ଧାର୍ଯ୍ୟ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଭସାଣ ଉତ୍ସବ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ରହିଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୨ଟା, ତୃତୀୟ ପର୍ଯ୍ୟାୟ ଅପରାହ୍ଣ ୨ଟାରୁ ୪ଟା ଏବଂ ଚତୁର୍ଥ ପର୍ଯ୍ୟାୟ ଅପରାହ୍ଣ ୪ଟାରୁ ସନ୍ଧ୍ୟା ୬ଟା ଧାର୍ଯ୍ୟ କରାଯାଇଛି। କଟକ ସହରରେ ସମସ୍ତ ପୂଜା ମଣ୍ଡପର ମୂର୍ତ୍ତି ପୂର୍ବାହ୍ନ ୧୦ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ମଧ୍ୟରେ ଭସାଣ ସରିବ। ୧୪ଟି କୃତ୍ରିମ ପୋଖରୀରେ ସମସ୍ତ ମୂର୍ତ୍ତି ବିସର୍ଜନ ହେବ। ପ୍ରତି ପୂଜା କମିଟିର ୭ଜଣଙ୍କୁ ଭସାଣ ଉତ୍ସବରେ ସାମିଲ ହେବା ପାଇଁ ଅନୁମତି ଦିଆଯାଇଛି। ଭସାଉ ଉତ୍ସବ ସମୟରେ ପୂଜାକମିଟି ସଦସ୍ୟମାନେ ଚେଚିସ୍ ବଦଳରେ ଡାଲା ଅଟୋ ଏବଂ ପିକ୍ଅପ୍ ବ୍ୟବହାର ପାଇଁ ଅନୁମତିମିଳିଛି। କଟକ ସହରରେ ଭସାଣ ଉତ୍ସବ ନେଇ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।