ଭୁବନେଶ୍ୱର(ଏସ୍ ନ୍ୟୁଜ): କଟକ ପରେ ଭୁବନେଶ୍ୱର ରେ ବନ୍ଦ ହେଲା ବାଲିଯାତ୍ରା। ମହାମାରୀ କରୋନା ଲାଗି ସମସ୍ତ ପର୍ବପର୍ବାଣୀ ଫିକା ପଡୁଛି। ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରର କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି କଟକଣା ଲାଗୁ ହୋଇଥିବା ବେଳେ ଭୁବନେଶ୍ୱର ବାଲିଯାତ୍ରା ବାତିଲ କରାଯାଇଛି। ବାଲିଯାତ୍ରା ମହୋତ୍ସବ କମିଟି ସଦସ୍ୟଙ୍କ ସହ ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆଯାଇଛି । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ମିଳିଛି ।
କମିସନରେଟ ପୁଲିସ୍ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ଯେ ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ କମିଟିର ସଦସ୍ୟମାନଙ୍କ ସଙ୍ଗେ ଆଲୋଚନା ପରେ କୋଭିଡ ମହାମାରୀ ଯୋଗୁଁ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, ଏବର୍ଷ ବାଲିଯାତ୍ରା ବାତିଲ ରଖିବାକୁ ନିଷ୍ପତ୍ତି କରାଯାଇଛି। ସ୍ଥିତିରେ ଉନ୍ନତି ଆସିଲେ ଆସନ୍ତାବର୍ଷ ଏହି ଉତ୍ସବକୁ ପୂର୍ବ ପରି ପାଳନ କରାଯିବ ବୋଲି ସେ ସୂଚନା ଦେଇ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ୩ ବର୍ଷ ହେଲା ଜରିପାଟଣାସ୍ଥିତ ପଟିଆବନ୍ଧସ୍ଥିତ କୁଆଖାଇ ନଦୀପଠାରେ ଭୁବନେଶ୍ବର ବାଲିଯାତ୍ରା ହୋଇ ଆସୁଥିଲା। ଏ ବର୍ଷ ବାଲିଯାତ୍ରାର ଚତୁର୍ଥ ସଂସ୍କରଣ ଅନୁଷ୍ଠିତ ହୋଇଥାନ୍ତା। ହେଲେ କଟକ ପରି ଭୁବନେଶ୍ବର ବାଲିଯାତ୍ରାରେ କରୋନା ପାଇଁ ଲାଗିଗଲା ରୋକ ।