ଭୁବନେଶ୍ୱର: ବସନ୍ତ ଋତୁରେ ସବୁଜିମା ହେବ ଭୁବନେଶ୍ୱର । ହସିବ ଜନପଥ । ଅପରୂପ ସୁନ୍ଦରୀ ହୋଇ ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ହେବ । ବସନ୍ତରେ ନୂଆ ଗଛ ପୋତିବ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଟ୍ (ବିଏସ୍ସିଏଲ୍) ।
ବିଏସ୍ସିଏଲ ପରିଚାଳନା ନିଦେ୍ର୍ଦଶକ ଚଂଚଲ ରାଣାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି । ବାଣୀବିହାରରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ଜନପଥ ରାସ୍ତାକୁ ସୌନ୍ଦର୍ଯ୍ୟକରଣ କରାଯାଇଥିଲା ।
ବିଏସ୍ସିଏଲ୍ ପକ୍ଷରୁ ବାଉଁଶ ବାଡ ଲଗାଯାଇଥିଲା । ମାତ୍ର ୩ ବର୍ଷ ଭିତରେ ବାଉଁଶବାଡ ଭାଙ୍ଗିଗଲା । ଯାହା କିଛି ବାକି ଥିଲା ମେଟ୍ରୋ ପ୍ରକଳ୍ପ ପାଇଁ ଖୋଳାତଡାରେ ବରବାଦ ହେଲା । ସେବେଠୁ ଜନପଥ ତାର ହୃତ୍ ଗୌରବ ହରାଇ ବସିଥିଲା । ହଜିଯାଇଥିବା ଏହି ଜନପଥର ପରିଚୟ ପୁଣି ଖୋଜି ଆଣିବ ସ୍ମାର୍ଟସିଟି । ବାଣୀବିହାରରୁ ଶିଶୁଭବନ ରାସ୍ତା ମେଡିଆନ୍ରେ ଗଛ ଲାଗିବ । ୫.୨ କିମି ଏହି ମେଡିଆନ୍ରେ ଭଳିକି ଭଳି ଅର୍ଣ୍ଣାମେଂଟାଲ ଟ୍ରି ଲାଗିବ । ଏଥିପାଇଁ ୨.୬୯ କୋଟି ଟଙ୍କା ଖର୍ଚ୍ଚ କରିବାକୁ ସ୍ମାର୍ଟସିଟି ଯୋଜନା କରିଛି । ବୈଠକରେ ଏହି ନିଷ୍ପତି ଉପରେ ମୋହର ବାଜିଛି ।
କାମ ଖୁବ୍ ଶୀଘ୍ର ଆରମ୍ଭ କରାଯିବ । ଖାଲି ମେଡିଆନ୍ ନୁହେଁ, ଭୁବନେଶ୍ୱର ରେଳ ଷ୍ଟେସନର ମଧ୍ୟ ବିକାଶ ଚାଲିଛି । ଏହି ଦୃଷ୍ଟିରୁ ମାଷ୍ଟରକ୍ୟାଂଟିନ୍ ଆଇ ଲଭ ଭୁବନେଶ୍ୱର ପାରିପାର୍ଶ୍ୱିକର ମଧ୍ୟ ବିକାଶ କରିବାକୁ ଯୋଜାନା କରାଯାଇଛି । ରାଜମହଲରୁ ଶିଶୁଭବନ ଆଖପାଖର ବିକାଶ ହେବ । ଏ ସଂପର୍କରେ ସ୍ମାର୍ଟସିଟି ଲିମିଟେଡ ପକ୍ଷରୁ ନକ୍ସା ଅଙ୍କାଯାଇଛି । ମେଡିଆନ୍ରେ ଗଛ ଲାଗିବା ସହ ଏଥର ଷ୍ଟିଲ ବାଡ ଘେରାଯିବ । ଏ ବାବଦକୁ ୬୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବାକୁ ଯୋଜନା କରାଯାଇଥିଲା । ବର୍ଷକ ପୂର୍ବରୁ ଷ୍ଟିଲ୍ ବାଡ କରିବାକୁ ନିଷ୍ପତି ହୋଇଥିଲେ ମଧ୍ୟ କାର୍ଯ୍ୟ ଆଗେଇ ପାରି ନଥିଲା । ଏବେ ଉଭୟ ମେଡିଆନ୍ ସୌନ୍ଦର୍ଯ୍ୟକରଣ ଏବଂ ଷ୍ଟିଲ ବାଡର କାମ କରିବାକୁ ଯୋଜନା ହୋଇଛି । ବିଏମ୍ସି, ବିଡିଏ ଏବଂ ସ୍ମାର୍ଟସିଟି ପକ୍ଷରୁ ମିଳିତ ଭାବେ ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ମେଡିଆନ୍ ଏବଂ ଫୁଟ୍ପାଥ୍ ସୌନ୍ଦର୍ଯ୍ୟ କରଣ କରାଯାଉଛି ।
ନିକଟରେ ବିଏମ୍ସି ପକ୍ଷକୁ ନାଲକୋ ସହିତ ଚୁକ୍ତି ହୋଇଛି । ଏଥିରେ ଜୟଦେବ ବିହାରରୁ ନାଲକୋ ଛକ ପର୍ଯ୍ୟନ୍ତ ରାସ୍ତାକୁ ନାଲକୋ ଏବଂ ବିଏମ୍ସି ମିଳିତ ଭାବେ ସଜାଡିବେ ।