ବିଜେଡି ଫୋକସରେ ଗାଁ

ଭୁବନେଶ୍ୱର, (ଏସ୍‌ ନ୍ୟୁଜ): ବିଜୁ ଜନତାଦଳ ଏବେ ଗାଁ ମୁହାଁ ହୋଇଛି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏନେଇ ସଂଗଠନକୁ ତୃଣମୂଳସ୍ତରରୁ ଆହୁରି ବଳିଷ୍ଠ କରିବାକୁ ଦଳ ଖସଡ଼ା ପ୍ରସ୍ତୁତ କରିସାରିଛି । ଛାମୁଆ ନେତାମାନେ ପ୍ରସ୍ତୁତ କରିଥିବା ରଣନୀତି ଆଧାରରେ ଦଳର ମହିଳା ନେତ୍ରୀମାନେ ଗାଁ ଗାଁ ବୁଲି ଦଳ ଓ ସରକାରଙ୍କ ଭଲ କାର୍ଯ୍ୟ ଓ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ନିଷ୍ପତ୍ତି ହୋଇଛି । ନବନିଯୁକ୍ତ ରାଜ୍ୟ କର୍ମକର୍ତ୍ତାଙ୍କୁ ସ୍ୱାଗତ କରିବା ସହ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଶ୍ରୀମତୀ ଛୁରିଆ କହିଥିଲେ, ମହିଳାଙ୍କର ଉତ୍ସର୍ଗୀକୃତ ସେବା ମନୋଭାବ ଏବଂ ପରିଶ୍ରମ ପାଇଁ ମୁଖ୍ୟମନ୍ତ୍ରୀ ସମଗ୍ର ମହିଳା ନେତୃମଣ୍ଡଳୀଙ୍କୁ ଧନ୍ୟବାଦ ଦେଇଛନ୍ତି । ତେଣୁ ଆମକୁ ଆହୁରି ଅଧିକ ନିଷ୍ଠାର ସହ କାର୍ଯ୍ୟ କରିବାକୁ ହେବ । ବିଶେଷକରି ଗାଁର ଗରିବ, ଦଳିତ, ଅବହେଳିତ ଜନସାଧାରଣଙ୍କ ସେବା ଏବଂ ମହିଳାଙ୍କର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେବାକୁ ହେବ । ମୁଖ୍ୟ ଅତିଥି ଭାବରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଥିଲେ,ବିଜୁ ଜନତା ଦଳ ଏକ ଦାୟିତ୍ୱବାନ ରାଜନୈତିକ ଦଳ । ଲୋକଙ୍କ ସହ ରହିବା ହିଁ ଏକ ଶୃଙ୍ଖଳିତ ସଦସ୍ୟ ହିସାବରେ ଆମର ବଡ଼ କର୍ତ୍ତବ୍ୟ । ଦଳର ସମସ୍ତ ଜନହିତକରୀ ଯୋଜନା ଓ ଅଣୁ ଯୋଜନାକୁ ତୃଣମୂଳ ସ୍ତରରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପ୍ରତ୍ୟକ ସଦସ୍ୟ ତତ୍ପରତାର ସହ କାର୍ଯ୍ୟ କରନ୍ତୁ । ରାଜ୍ୟ ମହିଳା କମିଟି ଗଠନ ପରେ ପ୍ରତ୍ୟେକ ଜିଲ୍ଲା ତଥା ଗ୍ରାମପଞ୍ଚାୟତସ୍ତରୀୟ କର୍ମକର୍ତ୍ତାଙ୍କ ନିକଟରେ ପହଞ୍ଚି ତୃଣମୂଳ ସଙ୍ଗଠନକୁ ଆହୁରି ସୁଦୃଢ କରିବାକୁ ସେ ଆହ୍ୱାନ ଦେଇଥିଲେ ।
ବରିଷ୍ଠ ଉପସଭାପତି ପ୍ରତାପ କେଶରୀ ଦେବ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇ କହିଥିଲେ, ମୁଖ୍ୟମନ୍ତ୍ରୀ ରାଜନୀତିରେ ମହିଳାଙ୍କ ସକ୍ରିୟ ଭୂମିକାକୁ ସଦାସର୍ବଦା ଅଗ୍ରାଧିକାର ଦେଇ ଆସିଛନ୍ତି । ରାଜ୍ୟର ସିଂହଭାଗ ଭୋଟ ପ୍ରଦାନ କରୁଥିବା ମହିଳା ଭୋଟ ଦାତାମାନଙ୍କୁ କେବଳ ରାଜନୈତିକ ଶୋଭାଯାତ୍ରା ନୁହେଁ, ବରଂ ଲୋକପ୍ରତିନିଧି ଭାବରେ ୩୩ ଭାଗରୁ ୫୦ ଭାଗ ସ୍ଥାନ ସଂରକ୍ଷଣ ନିମନ୍ତେ ସଂସଦରେ ନିଜର ଦାବି ଉପସ୍ଥାପନ କରିଛନ୍ତି । ଏଣୁ ସାଙ୍ଗଠନିକ କ୍ଷେତ୍ରର ପ୍ରତ୍ୟେକ ମହିଳା କର୍ମକର୍ତ୍ତା ତୃଣମୂଳସ୍ତରରେ ପହଞ୍ଚି ଦୃଢ଼ତାର ସହିତ ଦଳର ସାଙ୍ଗଠନିକ ପରିସୀମାକୁ ଆହୁରି ପରିବ୍ୟାପ୍ତ କରିବାକୁ ଶ୍ରୀ ଦେବ ଆହ୍ୱାନ ଦେଇଥିଲେ ।