ବିଜେଡି, ବିଜେପି, କଂଗ୍ରେସ ଗୋଟିଏ ଭାଡ଼ିର ପାରା
ବିଭିନ୍ନ ପ୍ରସଙ୍ଗକୁ ଆଳ କରି ତିନି ରାଜନୈତିକ ଦଳ ପକ୍ଷରୁ ଭୋଟରଙ୍କ ଦୃଷ୍ଟି ଆକର୍ଷଣ ପ୍ରକ୍ରିୟା ଆରମ୍ଭ ହୋଇଛି…
ଭୁବନେଶ୍ୱର: ଚାଉଳକୁ ଅସ୍ତ୍ର କରି ବିଜେଡି କେନ୍ଦ୍ର ବିରୋଧରେ ତିନିଦିନିଆ ପ୍ରତିବାଦ ଆରମ୍ଭ କରିଛି । ବିଜେଡିର ମୋଦୀ ବିରୋଧୀ ଅଭିଯାନକୁ ଭଣ୍ଡୁର କରିବା ପାଇଁ ବିଜେପି ସମାନ୍ତରାଳ ଭାବେ ଆଇନଶୃଙ୍ଖଳାକୁ ଅସ୍ତ୍ର କରି ତିନିଦିନ ପାଇଁ ରାସ୍ତାକୁ ଓହ୍ଲାଇଛି । ଦରଦାମ ବୃଦ୍ଧିକୁ ଅସ୍ତ୍ର କରି କଂଗ୍ରେସ ମଧ୍ୟ ତା’ର ଅଭିଯାନ ଆରମ୍ଭ କରିଛି । ବିଭିନ୍ନ ପ୍ରସଙ୍ଗକୁ ଆଳ କରି ତିନି ରାଜନୈତିକ ଦଳ ପକ୍ଷରୁ ଭୋଟରଙ୍କ ଦୃଷ୍ଟି ଆକର୍ଷଣ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଲୋକସଭା ଓ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୧୦ ମାସ । ଏତିକିବେଳୁ ଭୋଟରଙ୍କ ମନକୁ ଉଠିଆ ନକଲେ ନିର୍ବାଚନରେ ଜିତାପଟ ହାସଲ କରିବା କଷ୍ଟକର । କଂଗ୍ରେସ, ବିଜେପି ଓ ବିଜେଡିକୁ ଛାଡ଼ିଦେଲେ ଅନ୍ୟ ଦଳଗୁଡ଼ିକ ଗୋପନୀୟତାର ସହ ଚାଲୁଛନ୍ତି । ଚାଉଳ ଉପରେ ଜାଲ ବିଛାଇ ପାରା ଧରିବା ଭଳି ଭୋଟରଙ୍କୁ ଧରିବା ପାଇଁ ରାଜନୈତିକ ଦଳଗୁଡ଼ିକ ସ୍ୱପ୍ନର ଚାଉଳ ପକାଇ ତା’ ଉପରେ ନିର୍ବାଚନ ଜାଲ ବିଛାଉଛନ୍ତି ।
୩୦% ବୁଦ୍ଧିଆ ଭୋଟର କୌଣସି ରାଜନୈତିକ ଦଳର ସପନକୁ ସତ ମଣି ଜାଲରେ ବସିବେନି । କିନ୍ତୁ ୭୦% ଗରିବ ଭୋଟର କ୍ଷମତାସୀନ ଦଳର ଆଗୁଆ ଯୋଜନାକୁ ସତ ମଣି ଜାଲରେ ଧରାପଡ଼ିବେ ଆଗାମୀ ୫ ବର୍ଷ ପାଇଁ । ଏଇତ ରାଜନୀତି । ସବୁଠୁ ଚିନ୍ତାର ବିଷୟ ହେଉଛି, ଆମ ବୁଦ୍ଧିଜୀବୀ ଗୋଠଟି ଭାରି ଡରୁଆ । ହୁଙ୍କାପିଟା ରାଜନୀତିକୁ ଆଦରି ନେଇଥିବା ଦଳ ବିରୋଧରେ ଜନମତ ସୃଷ୍ଟି କରିବା ପାଇଁ ବୁଦ୍ଧିଜୀବୀ ଗୋଠ ନିକଟରେ ସାହସର ଅଭାବ ଘଟିଛି ।