ହାଡୁଆ ପ୍ରକଳ୍ପରୁ ଏସନ ଚାଷୀଙ୍କୁ ପାଣି ଦାବି କଲା ବିଜେଡି

କ୍ଷମତାରେ ଥିଲାବେଳେ ହାମ୍‌ବଡ଼ା ରାଜନୀତି ଚଳାଇଥିବା …..

ଭୁବନେଶ୍ୱର: କ୍ଷମତାରେ ଥିଲାବେଳେ ହାମ୍‌ବଡ଼ା ରାଜନୀତି ଚଳାଇଥିବା ବେଳେ ଏବେ ବିଜେପିକୁ କଥା କଥାକେ ଟାର୍ଗେଟ୍‌ କରୁଛି ବିଜେଡି। ବଡମ୍ୱା ନରସିଂହପୁର ଅଂଚଳର ଚାଷଜମି ଓ ଚାଷୀଙ୍କ ପାଇଁ ହାଡୁଆ ସେଚ୍‌ ପ୍ରକଳ୍ପରୁ ପାଣି ଯୋଗାଣ ଦାବି କରିଛି ବିଜେଡି। ଖୋଦ୍‌ ବିଜେଡି କ୍ଷମତାରେ ଥିଲାବେଳେ ହାଡୁଆ ସେଚ ପ୍ରକଳ୍ପ କାମ ଆରମ୍ଭ କରିଥିଲା। ୨୦୨୫ ସୁଦ୍ଧା ଏଥିରୁ ଚାଷୀଙ୍କୁ ଜଳ ଯୋଗାଇବାର ପ୍ରତିଶ୍ରୁତି ଦେଇଥିଲା। ୟା’ ଭିତରେ ୨ ବର୍ଷ ବିତିଗଲାଣି।

ବିଜେପି ସରକାର ଏହି ପ୍ରକଳ୍ପ ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ତୁରନ୍ତ ଏହି ପ୍ରକଳ୍ପକୁ ଶେଷ କରି ଚଳିତ ବର୍ଷ ରବିବାର ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ବଡମ୍ୱା ନରସିଂହପୁର ଚାଷୀଙ୍କ ନିମନ୍ତେ ହାଡୁଆ ମଧ୍ୟମ ସେଚ ପ୍ରକଳ୍ପର ମୁଖ୍ୟ କାର୍ଯ୍ୟ ୨୦୨୪ରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଡ୍ୟାମ ଓ ଆନୁଷଙ୍ଗିକ ମୁଖ୍ୟ କାର୍ଯ୍ୟ ଲୋକାର୍ପିତ ହୋଇଥିଲା। ଏହାର ଭୂତଳ ଜଳବାହି କେନାଲ ସିଷ୍ଟମ୍‌ ଶୁଭାରମ୍ଭ କରିବା ସହିତ ୨୦୨୫ ସୁଦ୍ଧା ଚାଷୀଙ୍କୁ ଜଳ ପହଂଚିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇ ଥିବାବେଳେ ଗଲା ୨୦ ମାସରେ ଏଥିପାଇଁ ତ୍ୱରାନ୍ୱିତ ନିଷ୍ପତି ନନେବା ଫଳରେ ଅହେତୁକ ବିଳମ୍ୱ ହୋଇଛି।

୨୦୨୬ ଆର୍ଥିକ ବର୍ଷ ସୁଦ୍ଧା କେନାଲ ବ୍ୟବସ୍ଥା ସଂଲଗ୍ନ ବିଦ୍ୟୁତ୍‌ ଉତ୍ପାଦନ ସମ୍ପୂର୍ଣ୍ଣ କରିବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି, ଏହି ପ୍ରକଳ୍ପ ପାଇଁ ୨୦୦୦ ମସିହାରେ ନବୀନ ସରକାର ନିଷ୍ପତି ନେବା ଓ ସୁପାରିଶ କରିଥିଲେ। ୨୦୦୧ ମାର୍ଚ୍ଚ ମାସରେ କେନ୍ଦ୍ରୀୟ ଜଳ ଆୟୋଗ, ଜଙ୍ଗଲ ପରିବେଶ ପ୍ରଥମ ପର୍ଯ୍ୟାୟ ମଞ୍ଜୁରି, ପୁନର୍ବାସ ପାଇଁ ଜନଜାତି ବିଭାଗର ୨୦୦୪ରେ ମଞ୍ଜୁରି, ୨୦୦୭ରେ ଜଙ୍ଗଲ ଓ ପରିବେଶର ୨ୟ ପର୍ଯ୍ୟାୟ ମଞ୍ଜୁରି ମିଳିଥିଲା। ଏହାର ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ଶ୍ରୀ ମିଶ୍ରଙ୍କ ଉଦ୍ୟମରେ ଯୋଜନା କମିଶନ, ଅର୍ଥ ବିଭାଗ ପ୍ରଥମ ଥର ପାଇଁ ମଧ୍ୟମ ସେଚ ପ୍ରକଳ୍ପକୁ ଗ୍ରାମୀଣ ଭିତିଭୂମି ପାଣ୍ଠି ନାବାର୍ଡରେ ଅନ୍ତର୍ଭୁକ୍ତ କରିଥିଲେ।

କିନ୍ତୁ ମାଟି ଡ୍ୟାମ୍‌ କରିବା ତା’ ପରେ କଂକ୍ରିଟ୍‌ ଡ୍ୟାମ ପାଇଁ ବିଭିନ୍ନ ବୈଷୟିକ ନିଷ୍ପତିର ସମୟ ସାପେକ୍ଷତା ଏହା ୨୦୧୫ ଯାଏ ନୂତନ ଡିଜାଇନରେ ୮୭ତମ ବୈଷୟିକ କମିଟି ବୈଠକରେ ଅନୁମୋଦିତ ହୋଇଥିଲା। କିନ୍ତୁ ଇତି ମଧ୍ୟରେ ମେଗା ଲିଫ୍ଟ ସେଚ ବ୍ୟବସ୍ଥା ଯୋଗୁ ପ୍ରସ୍ତାବିତ ଆନିକଟ ସମ୍ପୂର୍ଣ୍ଣ ଉପଲବ୍ଧ ନହେବାରୁ ପ୍ରକଳ୍ପଟି ବନ୍ଦ ଅବସ୍ଥାରେ ରହିଛି। ୨୦୧୭ରେ ସେ ସମୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପରିବର୍ଦ୍ଧିତ ଆନିକଟ ପାଇଁ ନିଷ୍ପତି ହୋଇ ୨୦୨୦ରେ ରାଜ୍ୟସ୍ତରୀୟ ୧୦୨ତମ ବୈଷୟିକ କମିଟିରେ ନିଷ୍ପତି ପରେ ସରକାର ୬୭୩ କୋଟି ଟଙ୍କାର ସମୁଦାୟ ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଥିଲା।

ମୁଖ୍ୟ ଡ୍ୟାମ୍‌ ସ୍ପିଲୱେ କାମ ପ୍ରାୟ ୨୫୦ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇ ୨୪ରେ ପ୍ରାୟ ଶେଷ ପର୍ଯ୍ୟାୟକୁ ଆସିଥିଲା। ଭୂତଳ ଜଳବାହୀ କେନାଲ ସିଷ୍ଟମ୍‌ ଓ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ୨୨୪ କୋଟି ଟଙ୍କା ମଞ୍ଜୁରି ପ୍ରାପ୍ତ ହୋଇଥିଲା। ଡ୍ୟାମ ଓ ମହାକାଳୀ ପୀଠକୁ ଯୋଡିବା ପାଇଁ ପ୍ରକଳ୍ପରୁ ପୂର୍ବରୁ ଦୁଇଟି ପୋଲ ଦିଆଯାଇଥିଲା। ୨୦୨୪ରେ ନବୀନ ବାବୁ ବଡମ୍ୱା ଜନସଭାରେ ଏହାକୁ ଆଭାସି ମାଧ୍ୟମରେ ଆଉ ୩୦ କୋଟି ଟଙ୍କାର ସିଧାସଳଖ ରାସ୍ତା ଦିଆଯାଇଥିଲା। କଂସେଇଲୋଠାରେ ପୁନର୍ବାସ କଲୋନି ପ୍ରାୟ ୧୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ବୋଲି କୁହାଯାଇଛି। ଏହି ପ୍ରକଳ୍ପର ପରିସରକୁ ଗଲା ବର୍ଷ ୩ ସପ୍ତାହରୁ ଊର୍ଦ୍ଧ୍ବ ବନ୍ଦ କରି ରଖାଯାଇଛି। ଏଣୁ ଏହାକୁ ବିଳମ୍ୱିତ ନକରି, ତୁରନ୍ତ କାର୍ଯ୍ୟକାରୀ କରିବା ସହିତ ଭୂତଳ ଜଳବାହୀ କେନାଲର କାର୍ଯ୍ୟକ୍ଷମରେ ପୂର୍ବ ପ୍ରକଳ୍ପିତ ଚାଷ ଅଂଚଳରେ ରବିଚାଷ ପାଇଁ ଜଳ ଯୋଗାଣ ନିଶ୍ଚିନ୍ତ କରିବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି।