କେନାଲ ଲୁଟୁଛନ୍ତି ବିଜେଡି ଠିକାଦାର

ଲୋକଙ୍କୁ ଧମକ, ମୁଁ ମୁଖ୍ୟମନ୍ତ୍ରୀଙ୍କ ଲୋକ

ଫାଇଭ୍‌-ଟି’ କାମରେ ମୁଣ୍ଡ ପୁରାଇବିନି…..

ନରସିଂହପୁର: କେନାଲ ପ୍ରକଳ୍ପ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ଫେବୃଆରୀ ୨୩ ତାରିଖରେ । ପ୍ରସ୍ତାବିତ କେନାଲଟିର ଜଳସେଚନ କ୍ଷମତା ଥିଲା ୩୦୦ ହେକ୍ଟର । ପ୍ରକଳ୍ପଟିର ବ୍ୟୟ ଅଟକଳ ଥିଲା ୧୧୬୨ ଲକ୍ଷ ଟଙ୍କା । ପ୍ରକଳ୍ପଟିର ନାଁ ମା’ ମଙ୍ଗଳା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ । ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଏହି ଜଳସେଚନ ଅଦ୍ୟାପି କାମ କରିପାରିନି । ଶିଳାନ୍ୟାସ ପରେ ପ୍ରକଳ୍ପ ନିର୍ମାଣ କାମ ଆରମ୍ଭ ହେଲା । ୨୦୨୦ ଲଗାଣ ବର୍ଷାରେ ଅଧା ନିର୍ମିତ କେନାଲ ଭୁଶୁଡ଼ିପଡ଼ିଲା । ନିମ୍ନମାନର କାମ ଚାଲିଥିବାରୁ ନିର୍ମାଣାଧୀନ କେନାଲ ଭୁଶୁଡ଼ିପଡ଼ିଲା ବୋଲି ଆଇଁସିଆ ଜନତା ଅଭିଯୋଗ କଲେ ।

କେନାଲ ନିର୍ମାଣ କାମକୁ କେବେ ତଦାରଖ କରିବାକୁ ଆସୁନାହାନ୍ତି ବିଧାୟକ ଦେବୀ ପ୍ରସାଦ ମିଶ୍ର । ଲୋକମାନଙ୍କ ଅଭିଯୋଗକୁ ଅଣଦେଖା କରି ବିଧାୟକ କହନ୍ତି, ଠିକା ସଂସ୍ଥା ତା’ କାମ କରୁଛି । ମୋର ତଦାରଖ କରିବା କ’ଣ ଦରକାର? କିଛି ତ୍ରୁଟି ହେଲେ, ସରକାରଙ୍କ ଜଳସେଚନ ବିଭାଗ ଆବଶ୍ୟକ ପଦକ୍ଷେପ ନେବ । ମୁଖ୍ୟମନ୍ତ୍ରୀଙ୍କ କାମରେ ହସ୍ତକ୍ଷେପ କରିବା ମୋ ପକ୍ଷେ ଅସମ୍ଭବ । ପ୍ରକଳ୍ପ କାମ ଉପରେ ଫାଇଭ୍‌-ଟି ନଜର ରଖୁଛି ମାନେ ମୋର ହସ୍ତକ୍ଷେପ ବିରାଟ ଭୁଲ ହେବ ।

ସ୍ଥାନୀୟ ଗ୍ରାମବାସୀ ମନୋଜ ପଣ୍ଡାଙ୍କ ଅଭିଯୋଗ ମୁତାବକ ସହକାରୀ ଯନ୍ତ୍ରୀ, ଜେଇ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା କାରଣରୁ ପ୍ରକଳ୍ପ ନିର୍ମାଣ କାମ ଏ ଯାବତ୍‌ ସରିଲାନି । ଲୋକଙ୍କ ସୁବିଧା ପାଇଁ ଆରମ୍ଭ ହୋଇଥିବା ପ୍ରକଳ୍ପ କଦାପି ସରିବାର ନାଁ ଧରୁନି । ୟା’ ଭିତରେ ପ୍ରକଳ୍ପ ଅଟକଳ ବୃଦ୍ଧି ପାଇଲେ, ତା’ କ’ଣ ବିଧାୟକ ନା ମୁଖ୍ୟମନ୍ତ୍ରୀଙ୍କ ଜମାଖାତାରୁ ବ୍ୟୟ କରାଯିବ? ନିର୍ଦ୍ଧାରିତ ସମୟ ଭିତରେ ପ୍ରକଳ୍ପ କାମ ସରିବା ଦରକାର । ରାଜକୋଷରୁ ବିପୁଳ ଟଙ୍କା ଖର୍ଚ୍ଚ କରାଯାଇ ପ୍ରକଳ୍ପ ନିର୍ମାଣ କରାଯାଉଛି; ମାତ୍ର ତାହା ପ୍ରକୃତ ପକ୍ଷେ ଲୋକଙ୍କ କାମରେ ଲାଗୁନି । ଏହାଠାରୁ ବଳି ଦୁର୍ଭାଗ୍ୟର ବିଷୟ ଆଉ କିଛି ନାହିଁ । ଆମେ ଭୋଟ ଦେଇଛୁ ଯାହାକୁ, ସେଇ ଆମ ପାଇଁ ମୁଖ୍ୟ ବଇରୀ ସାଜିଛି । ଗୁହାରି କରିବୁ କାହାକୁ?