ଆସନ୍ତା ଡିସେମ୍ବର ୨୬ ଓ ୨୭ ତାରିଖରେ ରାଜ୍ୟରେ ସମସ୍ତ ୮୯୦୦ ପୋଷ୍ଟ ବାକ୍ସରେ ଚିଠି ପୋଷ୍ଟ କରିବେ ବିଜେପି କାର୍ଯ୍ୟକର୍ତା

ଭୁବନେଶ୍ୱର, ତା.୨୪/୧୨: ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ନିଦ୍ରା ଭଙ୍ଗ ହେଉନାହିଁ । କେବଳ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ ନୁହେଁ, ବରଂ ଅତୀତରେ ପରୀ, ମାଧବୀଲତା, ବେବିନା, ଇତିଶ୍ରୀ ଭଳି ଅନେକ ସମ୍ବେଦନଶୀଳ ଘଟଣାରେ ଶାସକ ବିଜେଡି ନେତା ଓ ମନ୍ତ୍ରୀଙ୍କ ସଂପୃକ୍ତି ଥିବା ସତ୍ୱେ ରାଜ୍ୟ ସରକାର କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ୧୯୯୯ ମସିହାରେ ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଦୁଷ୍କର୍ମ ଘଟଣାରେ ସେତେବେଳେ ବିରୋଧୀ ଦଳରେ ଥିବା ବର୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ବିରୁଦ୍ଧରେ ଏଫଆଇଆର ଦେଇଥିଲେ ଏବଂ ଇସ୍ତଫା ଦାବୀ କରିଥିଲେ । ବର୍ତମାନ ସେହି ନବୀନ ପଟ୍ଟନାୟକ କିପରି ନୀରବଦ୍ରଷ୍ଟା ସାଜିଛନ୍ତି, ତାହା ସାଧାରଣରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ରାଜ୍ୟରେ ମହିଳା ଓ ଶିଶୁ ଅପରାଧ ନିୟନ୍ତ୍ରଣ ପାଇଁ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠ ଖୋଲାଯାଇ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗତ ୨୦୨୦ ମସିହା ଡିସେମ୍ବର ମାସରେ ଘୋଷଣା କରିଥିଲେ । ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ଯେତେବେଳେ ବିଜେପିର ଏକ ପ୍ରତିନିଧି ଦଳ ଏହି ପ୍ରକୋଷ୍ଠ ଦାୟୀତ୍ୱରେ ଥିବା ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସାକ୍ଷାତ କରିବା ପାଇଁ ଗଲେ ସେତେବେଳେ ‘ଏଭଳି କିଛି ତଦନ୍ତ ଓ କ୍ଷମତା ଦିଆଯାଇନାହିଁ ଏବଂ ଏହା ସଂପୃକ୍ତ ଜିଲ୍ଲା ପୋଲିସ ପରିସୀମାଭୁକ୍ତ’ ବୋଲି କହି ବିଜେପି ପ୍ରତିନିଧି ଦଳକୁ ଫେରାଇ ଦେଇଥିଲେ । କେବଳ ଓଡିଶାବାସିଙ୍କୁ ଭ୍ରମିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ, ଯାହାର କୈାଣସି ବାସ୍ତବିକତା ନଥିଲା ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

ବିଜେଡି ଶାସନରେ, ମହିଳା ବିପଦରେ । ରାଜ୍ୟରେ ପ୍ରତିଦିନ ୪ ଦୁଷ୍କର୍ମ ଓ ୬ ଅପହରଣ ହେଉଛି । ଗତ ୫ ବର୍ଷରେ ୨୭୦୦୦ ଶିଶୁ ନିଖୋଜ ଅଛନ୍ତି । ଅନ୍ୟ ପଟେ ରାଜ୍ୟ ସରକାର କେବଳ ଭ୍ରମିତ କରିବାର ଅପପ୍ରୟାସ ଜାରୀ ରଖିଛନ୍ତି । ପୀଡିତାମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ କୈାଣସି ଆନ୍ତରିକତା ନାହିଁ । ଏହା ବିରୁଦ୍ଧରେ ଆସନ୍ତା ଡିସେମ୍ବର ୨୬ ଓ ୨୭ ତାରିଖରେ ରାଜ୍ୟର ସମସ୍ତ ୮୯୦୦ ପୋଷ୍ଟ ବାକ୍ସରେ ବିଜେପି କାର୍ଯ୍ୟକର୍ତାମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖି ଜବାବ୍‌ ମାଗିବେ ବୋଲି ଡ.ଲେଖାଶ୍ରୀ ସୁଚନା ଦେଇ କହିଛନ୍ତି ।

ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍‌ କୁମାର ଦାସ ଏବଂ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ କାମାକ୍ଷା ପ୍ରଧାନ ଉପସ୍ଥିତ ଥିଲେ ।