ଭୁବନେଶ୍ୱର: ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକରେ ରାସନ୍ କାର୍ଡ ବିରୋଧୀଙ୍କ ସମାବେଶ ଅନୁଷ୍ଠିତ ହୋଇଯାଇଛି । ହିନ୍ଦୁସ୍ଥାନ ଅଣସଂଗଠିତ ମଜୁରିଆ ପରିଷଦ ପକ୍ଷରୁ ଏକ ପ୍ରତିନିଧି ଦଳ କୁନ୍ଦଳ ପଂଚାୟତରେ ରାସନ୍ କାର୍ଡ ଫେରସ୍ତ ନୋଟିସ୍ ପାଇଥିବା କିଛି ହିତାଧିକାରୀଙ୍କୁ ଭେଟିଥିଲେ । ବଡ଼ଚଣା ବ୍ଲକର ପ୍ରାୟ ଏକ ହଜାର ରାସନ୍ କାର୍ଡ ଫେରସ୍ତ ନୋଟିସ୍ ପାଇଥିବା ହିତାଧିକାରୀଙ୍କୁ ଭେଟିବା ପରେ ପରିଷଦ ପକ୍ଷରୁ ରାସନ୍ କାର୍ଡ ଫେରସ୍ତ ଆଦେଶନାମା ହଟାଇବା ପାଇଁ ରାଜ୍ୟ ସରକାରଙ୍କୁ ଅଲଟିମେଟମ୍ ଦିଆଯାଇଛି ।
ପରିଷଦର ବରିଷ୍ଠ ନେତା ସୁଶାନ୍ତ ସର୍ବେଶ୍ୱର ଦାସ କହିଛନ୍ତି, ଭୋଟ ନେବା ପାଇଁ ରାଜ୍ୟର ମହିଳା ଭୋଟରଙ୍କୁ ୨ ବର୍ଷରେ ୫୦ ହଜାର ଟଙ୍କାର ଥୋପ ପକାଇଥିଲା ବିଜେପି । ଭୋଟ ପାଇଯିବା ପରେ ତରବରିଆ ଭାବେ ସୁଭଦ୍ରା ଯୋଜନା ପ୍ରଣୟନ କରି କ୍ଷମତାସୀନ ବିଜେପି ସରକାର ପ୍ରଥମ ଦଫାରେ ଯୋଉ ମହିଳାଙ୍କୁ ଯୋଗ୍ୟ ହିତାଧିକାରୀ ବିଚାର କରି ୫୦ ହଜାର ଟଙ୍କାର ଭାଉଚର କାର୍ଡ ଧରାଇ ସେମାନଙ୍କ ଆକାଉଂଟକୁ ୫ ହଜାର ଟଙ୍କା ପଠାଇଥିଲେ, ସେମାନଙ୍କ ଭିତରେ ବହୁ ହିତାଧିକାରୀଙ୍କ ପରିବାର ଟିକସ ଫାଙ୍କି ଭଳି ଗୁରୁତର ଅପରାଧରେ ଜଡ଼ିତ । ସେମାନଙ୍କ ପ୍ରତି ଉଦାର ମନୋଭାବ ପୋଷଣ କରି ଆସୁଥିବା ସଇତାନ ବିଜେପି ସରକାର ଏବେ ରାସନ୍ କାର୍ଡ ହିତାଧିକାରୀଙ୍କ ନିକଟରୁ ରାସନ୍ କାର୍ଡ ଫେରାଇ ନେବାର ହୀନ ଉଦ୍ୟମ କରୁଛି ।
ରାସନ୍ କାର୍ଡ ବିତରଣ ପୂର୍ବରୁ ସରକାର ହିତାଧିକାରୀଙ୍କ କାଗଜପତ୍ରକୁ ଯାଂଚ କରିଥିବେ ନିଶ୍ଚିତ । ଏବେ ରାସନ୍ କାର୍ଡ ଫେରସ୍ତ ନୋଟିସ୍ ପଠାଇବାର ମତଲବ କ’ଣ? ସୁଭଦ୍ରା ହିତାଧିକାରୀଙ୍କୁ ଖୁସି କରିବାକୁ ଯାଇ ରାସନ୍ କାର୍ଡ ଫେରାଇନେବା ଯଦି ବିକଶିତ ଭାରତର ପ୍ରତିଫଳନ ହୁଏ, ତେବେ ତା’ର ଉଚିତ ଜବାବ ଦିଆଯିବ ।
ବିଜେପି ସରକାରଙ୍କ ରାସନ୍ ଛାଟକୁ ମନଭରି ଉପଭୋଗ କରୁଛି ବିଜେଡି । ବିରୋଧୀ ଆସନରେ ବସିଥିବା ବିଜେଡି ଉକ୍ତ ପ୍ରସଙ୍ଗକୁ ତୀବ୍ର ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇବା ଦରକାର । ମାତ୍ର ବିଜେଡି କି କଂଗ୍ରେସ କେହି ଏ ଦିଗରେ ଆଦୌ ପାଟି ଫିଟାଉ ନାହାନ୍ତି ।
ରାସନ୍ କାର୍ଡ ଫେରସ୍ତ ନୋଟିସ୍ର ଉପଯୁକ୍ତ ଜବାବ ହେଉଛି ବିଧାୟକ ପଦ ଛାଡ଼ ନୋଟିସ୍ । ରାସନ୍ କାର୍ଡ ଫେରସ୍ତ ନୋଟିସ୍ ଜାରି କରିଥିବା କ୍ଷମତାସୀନ ବିଜେପି ସରକାରଙ୍କୁ ସମର୍ଥନ କରୁଥିବା ବିଧାୟକଗଣ ପ୍ରଥମେ ବିଧାୟକ ପଦରୁ ଇସ୍ତଫା ଦିଅନ୍ତୁ । ରାସନ୍ କାର୍ଡ ଫେରସ୍ତ ନୋଟିସ୍କୁ ପ୍ରତିବାଦ କରୁଥିବା ବିଧାୟକଙ୍କୁ ଏକଜୁଟ କରି ଚଳିତ ଏପ୍ରିଲ ପହିଲାରେ ନୂଆ ସରକାର ଘୋଷଣା କରାଯିବ ।