ଧାମନଗର ଚାଲିଯିବ ଜାଣି ପ୍ରଳାପ କରୁଛି ବିଜେପି

ଜୋ ଜିତା ଓହି ସିକନ୍ଦର: ଏନ୍‌ୟୁବିସି

ଭୁବନେଶ୍ୱର: ନିର୍ବାଚନରେ ଅଭିଯୋଗ ପ୍ରତି ଅଭିଯୋଗ ମାମୁଲି । କ୍ଷମତାସୀନ ଦଳ କୁକୁରଙ୍କ ଆଗରେ ମାଂସ ଟୁକୁଡ଼ା ପକାଇ ଭୋଟ ଚୋରି କରିବା ନୀତି ଆପଣାଇବ; ସେ କଥା ସବୁ ବିରୋଧୀ ଦଳ ଭଲ ଭାବରେ ଜାଣନ୍ତି । ତେଣୁ ନିର୍ବାଚନରେ ବିଜେଡି ଖୋଲାଖୋଲି କୋଟିଏ ଟଙ୍କାର ପୁରସ୍କାର ରାଶି ଘୋଷଣା କରିବା ଓ ତାକୁ କେନ୍ଦ୍ର କରି ବିଜେପି ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବା କେବଳ ଅଭିନୟ । ବିଜେପିର କେନ୍ଦ୍ରୀୟ ନେତାମାନେ ପ୍ରଚାର କରିବାକୁ ଆସୁନାହାନ୍ତି । ନିର୍ବାଚନ ପ୍ରଚାରକୁ ଆସିଥିବା କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ଦଳୀୟ ନେତାମାନେ ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିବାର କୁହୁକ ଜାଣିନାହାନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଗୋଟାଏ ଜିଦ; ଯେକୌଣସି ବାଟ ଦେଇ ରାଜ୍ୟବାସୀଙ୍କ ମୁଣ୍ଡରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବସାଇବେ । ରାଜ୍ୟବାସୀଙ୍କର ଗୋଟିଏ ଜିଦ, କୌଣସିମତେ ଧର୍ମେନ୍ଦ୍ରଙ୍କ ବୋଝ ମୁଣ୍ଡାଇବୁ ନାହିଁ । ପ୍ରଧାନମନ୍ତ୍ରୀଙ୍କର ଜିଦ କାରଣରୁ ବିଜେଡି ମୁଖିଆ ନିରଙ୍କୁଶ ହୋଇ ଶାସନ କରୁଛନ୍ତି ।

ସଂକ୍ଷେପରେ କହିଲେ, ଧାମନଗର ଆସନକୁ ହରାଇବା ପରେ ବିଜେପିର ‘ମିଶନ ଓଡ଼ିଶା’ ଫେଲ ବୋଲି ବୁଝାପଡ଼ିବ । ବିଜେଡିର ଜିତାପଟ ସୁନିଶ୍ଚିତ ଜାଣିବା ପରେ ବିଜେପିର ନିର୍ବାଚନ ପ୍ରଚାର ଟିମ୍‌ ପାଗଳଙ୍କ ଭଳି ପ୍ରଳାପ ଆରମ୍ଭ କରିଛି ଯାହାକୁ ଶୁଣିବା ପରେ ତଥ୍ୟଭିତିକ ଅଭିଯୋଗ ପାଇବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କହି ନିର୍ବାଚନ ଅଧିକାରୀ ମୋର୍ଚ୍ଚା ସମ୍ଭାଳିଛନ୍ତି ।

କ୍ଷମତାସୀନ ବିଜେଡି ନିର୍ବାଚନ ଆଚରଣ ଉଲ୍ଲଙ୍ଘନ କରୁଥିବାର ତଥ୍ୟ ସମ୍ବଳିତ ଭିଡିଓ ଓ ଅଡିଓ ଜାରି କରୁ ବିଜେପି ନଚେତ୍‌ ପରାଜୟକୁ ମୁକ୍ତ କଣ୍ଠରେ ସ୍ୱୀକାର କରୁ ବୋଲି ମତାମତ ପ୍ରକାଶ କରିଛନ୍ତି ଏନ୍‌ୟୁବିସି ନେତା ସୀତାରାମ ବେହେରା ।

ସୂଚନାଯୋଗ୍ୟ, ବିଜେଡି ପକ୍ଷରୁ ଧାମନଗରରେ ଆୟୋଜିତ ଏକ ପ୍ରଚାର ସଭାରେ ପ୍ରୀତିରଞ୍ଜନ ଘଡେ଼ଇ. ସୁଲତା ଦେଓ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଟୁନିବାଳା ବିଶ୍ୱାଳଙ୍କ ଭଳି ବଡ଼ବଡ଼ ନେତାମାନେ ଉପସ୍ଥିତ ଥିଲାବେଳେ ଜୟନ୍ତୁ କୁମାର ଭୋଇ ନାମକ ଜଣେ ବିଜେଡି ନେତା ସର୍ବାଧିକ ଭୋଟ ଦେଇଥିବା ପଂଚାୟତକୁ କୋଟିଏ ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଥିଲେ । ଉକ୍ତ ଘୋଷଣାକୁ ଆୟୁଧ କରି ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି । ଜିଲ୍ଲା ପ୍ରଶାସନ, ପୁଲିସ ମିଳିମିଶି ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଲାଗି ପଡ଼ିଛନ୍ତି ।