ବିଜେପି ନେତାଙ୍କୁ ପିଟିପିଟି ହତ୍ୟା,ଉତେଜନା

ଭୁବନେଶ୍ୱର,(ଏସ୍ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପ୍ରଭାରୀ ତଥା ବିଜେପି ଯୁବ ନେତା ରଞ୍ଜିତ କୁମାର ପ୍ରଧାନ(୪୮)ଙ୍କୁ ଶ୍ୱଶୁର ଘର ସାମ୍ନାରେ ପିଟିପିଟି ହତ୍ୟା କରାଯାଇଛି । ଘଟଣା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୂଆସାହି ଅଂଚଳରେ ଘଟିଥିବା ବେଳେ ଏହାକୁ ନେଇ ସମଗ୍ର ଜିଲ୍ଲାରେ ଚାପା ଉତେଜନା ଦେଖାଦେଇଛି । ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଆମ୍ୱପିଛୁଳା ଗାଁର ଲମ୍ୱୋଦର ବେହେରା, ଭାଗିରଥୀ ରାଉତ ଏବଂ ଭାଲିଆଡିହି ଗାଁର ରବୀନ୍ଦ୍ର ଆରୁଖ । ପୋଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ କରୁଛି ।

ସୂଚନା ଅନୁସାରେ, ଶନିବାର ରାତିରେ ରଞ୍ଜିତ ନୂଆସାହିସ୍ଥିତ ତାଙ୍କ ଶ୍ୱଶୁର ଘରକୁ ଆସିଥିଲେ । ଶ୍ୱଶୁରଙ୍କ ଘର ସମ୍ମୁଖ ରାସ୍ତାରେ ଗାଡିକୁ ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ନେଉଥିବା ବେଳେ ଦୁଇଟି ବାଇକ୍‌ରେ ଚାରି ଜଣ ଯୁବକ ଆସି ତାଙ୍କୁ ଅଟକାଇ ଥିଲେ । ଇଣ୍ଡିକେଟର ନ ଦେଇ କାହିଁକି ସାଇଡ୍ ମାରିଲ ବୋଲି କହି ସେମାନେ ତାଙ୍କୁ ଗାଳିଗୁଜଜ କରିଥିଲେ । ଏପରି ସେ କିଛି କହିବା ଆଗରୁ ଦୁର୍ବତମାନେ ତାଙ୍କୁ କାର ଭିତରୁ ଘୋଷାରି ଆଣି ନିସ୍ତୁକ ମାଡ ମାରିଥିଲେ । ଏପରିକି ଲୁହା ରଡ ଓ କାଠ ଫାଳିଆରେ ପିଟିଥିଲେ । ପାଟିଶୁଣି ରଞ୍ଜିତଙ୍କ ଶ୍ୱଶୁର ଘର ଲୋକେ ସେଠାରେ ପହଁବାରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ହେଲେ ରଞ୍ଜିତ ଚେତାଶୂନ୍ୟ ହୋଇଯାଇଥିବା ବେଳେ ଶ୍ୱଶୁର ଘର ଲୋକେ ତୁରନ୍ତ ଉଦଳା ଡାକ୍ତରଖାନା ନେଇ ଯାଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଛି । ପୁଲିସ ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତର ସହ ନେଇଛି । ଏପଟେ ବାଲେଶ୍ୱର ଜିଲ୍ଲାରେ ରଞ୍ଜିତଙ୍କ ହତ୍ୟାକାଣ୍ଡକୁ ନେଇ ଦଳୀୟ ମହଲରେ ଶୋକର ଛାୟା ଖେଳିଯାଇଛି । ଶ୍ରୀ ପ୍ରଧାନଙ୍କୁ ଏଭଳି ନିର୍ମମ ହତ୍ୟା କରିଥିବା ଅଭିଯୁକ୍ତମାନଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି ।