ମୋହନଙ୍କୁ ମୁଖ୍ୟମନ୍ତ୍ରୀ କରି ଖଣି ଲୁଟିବ ବିଜେପି!

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ସୁରେଶ ପୂଜାରୀ, ମନମୋହନ ସାମଲ, କନକ ବର୍ଦ୍ଧନ ସିଂହଦେଓଙ୍କ ଭଳି ଅଭିଜ୍ଞ ରାଜନେତାମାନେ ଅମିତ ଶାହଙ୍କ ହୀନ ଚକ୍ରାନ୍ତର ଶିକାର ହୋଇ ରାଜ୍ୟବାସୀଙ୍କ ଦୃଷ୍ଟିରେ ଖଳନାୟକ ହେବାକୁ ଚାହିଁଲେନି । ମାତ୍ର ମୁଖ୍ୟମନ୍ତ୍ରୀ ହେବା ଲୋଭରେ ମୋହନ ମାଝି ଅମିତ ଶାହଙ୍କ ବିଷ ପିଇବାକୁ ରାଜି ହୋଇଗଲେ ।

ରାଜ୍ୟବାସୀ ଭଲ ଭାବରେ ବୁଝିଯାଆନ୍ତୁ ଯେ ଲୋକଙ୍କ କଲ୍ୟାଣ ପାଇଁ ନୁହେଁ ବରଂ ଓଡ଼ିଶାର ଖଣିଖାଦାନକୁ ଲୁଟିବା ପାଇଁ ଅମିତ-ମୋଦୀ ବାରମ୍ବାର ଗସ୍ତ କରି ଭୋଟ ଭିକ ମାଗୁଥିଲେ । ବିଜେଡିର ଖଣିଜ ଲୁଟ ଉପରେ ଅମିତ ଗଭୀର ଦୃଷ୍ଟି ରଖିଥିଲେ । ତେଣୁ ମଉକା ଦେଖି ମୋହନ ମାଝିଙ୍କୁ ବଳି ପକାଇବାକୁ ଉଚିତ ମଣିଲେ । ମୋହନ ତ ସହଜେ ମାଝି; ସେ କାହୁଁ ବୁଝିବେ ଶାହଙ୍କ ମାୟା । ତାଙ୍କୁ ଦରକାର ମୁଖ୍ୟମନ୍ତ୍ରୀ ଗାଦୀ ।

ମାତ୍ର ଶାହଙ୍କ ଚାଲକୁ ବୁଝିଗଲେ ଚତୁର ସୁରେଶ ପୂଜାରୀ । ମୋହନ ମାଝିଙ୍କ ମୁଣ୍ଡଟା ସତରେ କ’ଣ ଏତେ ଉର୍ବର ଯାହା ସୁରେଶ ପୂଜାରୀଙ୍କ ମୁଣ୍ଡକୁ ବଳିଯିବ । ୨୦୦୯ରେ ଦିଲ୍ଲୀ ରେଳ ଷ୍ଟେସନରେ ଟିକେଟ୍‌ ଦଲାଲ ଭାବେ ପରିଚିତ ମୋହନ ମାଝିଙ୍କ ଉପରେ ପ୍ରଧାନମନ୍ତ୍ରୀଙ୍କ ଶୁଭଦୃଷ୍ଟି ପଡ଼ିବା ପଛରେ ଖଣିଜ ଭଣ୍ଡାର କେନ୍ଦୁଝର ।

କେନ୍ଦୁଝର ସମେତ ଓଡ଼ିଶାର ଅନ୍ୟାନ୍ୟ ଖଣିଜ ଜିଲ୍ଲାକୁ ଲୁଟିବା ପାଇଁ ମୋହନଙ୍କୁ ମାଧ୍ୟମ କରାଯାଇଛି । ଏପରି ମନ୍ତବ୍ୟ ଆଉ କେହି ନୁହନ୍ତି ମୋହନ ମାଝିଙ୍କ ଦୁର୍ଦ୍ଦିନ ସମୟର ସାଥି ସନାତନ ବେହେରା କହିଛନ୍ତି ।
ମନେପକାନ୍ତୁ, ଇଏ ସେହି ସନାତନ ବେହେରା ଯେ ଦିନେ ଭୁବନେଶ୍ୱର ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୋଇ ହାତରେ କେନ୍ଦେରା ବଜାଇ ବଜାଇ ଭୋଟ ମାଗୁଥିଲେ । ଆରଜେଡି ପ୍ରତିଷ୍ଠାତା ଲାଲୁ ଯାଦବଙ୍କ ହାତଟେକାରେ ଜୀବନ କାଟୁଥିବା ମୋହନ ମାଝି ଆଜି ମୁଖ୍ୟମନ୍ତ୍ରୀ । ୟା’ଠାରୁ ବଳି ବଡ଼ ପରିଚୟ ଆଉ କ’ଣ ଦରକାର?