ଗଞ୍ଜାମରେ କୃଷ୍ଣସାର ମୃଗ ଗଣନା ଆରମ୍ଭ

ଓଡ଼ିଶାର ବନ୍ୟପ୍ରାଣୀ ସମ୍ପଦର ପ୍ରମୁଖ କୃଷ୍ଣସାର ….

ଭଞ୍ଜନଗର: ଓଡ଼ିଶାର ବନ୍ୟପ୍ରାଣୀ ସମ୍ପଦର ପ୍ରମୁଖ କୃଷ୍ଣସାର ମୃଗ ବାର୍ଷିକ ଗଣନା ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି। ଜିଲ୍ଲାର ଦକ୍ଷିଣ ଘୁମୁସର, ଉତର ଘୁମୁସର ଏବଂ ବ୍ରହ୍ମପୁର ବନଖଣ୍ଡରେ ଗଣନା କାର୍ଯ୍ୟ ଜାରି ରହିଛି। ଗତବର୍ଷ ଜିଲ୍ଲାରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ୪୦୪ ଥିବାବେଳେ, ଚଳିତ ବର୍ଷ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ବନ ବିଭାଗ ଆଶା ରଖିଛି। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବନ ବିଭାଗ କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କୁ ନେଇ ମୋଟ ୧୮ଟି ଟିମ୍‌ ଗଠନ କରାଯାଇଛି। ଉତର ଘୁମୁସର ବନଖଣ୍ଡର ଲାଲସିଂ ନର୍ସରୀଠାରେ ଏକ ସ୍ୱତନ୍ତ୍ର କ୍ୟାମ୍ପ କରି ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ବନଖଣ୍ଡ ଅଧିକାରୀ (ଊୠଙ) ହିମାଂଶୁ ଶେଖର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏହି ଗଣନା ଅତ୍ୟନ୍ତ ସ୍ୱଚ୍ଛତାର ସହ କରାଯାଉଛି।

ଗଣନାରେ କୌଣସି ବିଭ୍ରାଟ ନ ହେବା ପାଇଁ ଏସିଏଫ୍‌ ବିବେକ ଦାସ କିଛି କଡ଼ା ନିୟମ ଜାରି କରିଛନ୍ତି। ଗଣନାକାରୀମାନଙ୍କୁ କୃଷ୍ଣସାର ମୃଗଙ୍କ ସହ ସେଲଫି ଉଠାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହା ସହ ରିପୋର୍ଟ ପ୍ରସ୍ତୁତିରେ ସଠିକତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି। ଦୁଇଟି ପର୍ଯ୍ୟାୟରେ ଏହି ଗଣନା ଶେଷ ହେବ। ବନ ବିଭାଗର କହିବା ଅନୁସାରେ, ସଠିକ୍‌ ସଂରକ୍ଷଣ ବ୍ୟବସ୍ଥା ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଥିବାରୁ ଏହି ବିରଳ ମୃଗଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଭିନ୍ନ ପ୍ରାକୃତିକ ପରିବେଶରେ ବୁଲି ଗଣନାକାରୀ ଦଳ ସେମାନଙ୍କ ଗତିବିଧି ଏବଂ ସଂଖ୍ୟାକୁ ରେକର୍ଡ କରୁଛନ୍ତି। କୃଷ୍ଣସାର ମୃଗଙ୍କ ବାସସ୍ଥଳୀର ସୁରକ୍ଷା ଏବଂ ଶିକାର ରୋକିବା ଦିଗରେ ଏହି ଗଣନାରୁ ମିଳିଥିବା ତଥ୍ୟ ଆଗାମୀ ଦିନରେ ବେଶ୍‌ ସହାୟକ ହେବ। ତାଲିମ ଶିବିରରେ ଏସିଏଫ୍‌ ବିମଳ ପ୍ରଧାନଙ୍କ ସମେତ ବହୁ ବନ ଅଧିକାରୀ ଓ ବିଶେଷଜ୍ଞ ଉପସ୍ଥିତ ଥିଲେ।