କୁକୁର ଗଣିବ ବିଏମ୍‌ସି!

ଦୈନିକ ସମ୍ବାଦ’ ଭିତର ପୃଷ୍ଠାରେ ଶୀର୍ଷକ ରହିଛି ‘କୁକୁର ଗଣିବ ବିଏମ୍‌ସି’ । କୋଉ କୁକୁର ବିଏମ୍‌ସି….

ଭୁବନେଶ୍ୱର: ଦୈନିକ ସମ୍ବାଦ’ ଭିତର ପୃଷ୍ଠାରେ ଶୀର୍ଷକ ରହିଛି ‘କୁକୁର ଗଣିବ ବିଏମ୍‌ସି’ । କୋଉ କୁକୁର ବିଏମ୍‌ସି ଗଣିବ । କାହା କୁକୁର ବିଏମ୍‌ସି ଗଣିବ? ମୁଖ୍ୟମନ୍ତ୍ରୀଙ୍କ କୁକୁର, ମେୟରଙ୍କ କୁକୁର, ସମ୍ବାଦ ସମ୍ପାଦକଙ୍କ କୁକୁର । କୋଉ କୁକୁରକୁ ବିଏମ୍‌ସି ଗଣିବା ଦାୟିତ୍ୱ ଦିଆଯାଇଛି । ବିଏମ୍‌ସି କହିଲେ ଭୁବନେଶ୍ୱର ମହାନଗର ନିଗମ । ତାକୁ ଗଣିବା ପାଇଁ କେତୋଟି କୁକୁରଙ୍କୁ ଦାୟିତ୍ୱ ଦିଆଯିବ? ବିଏମ୍‌ସି ଗଣିବା ଦାୟିତ୍ୱରେ ନିଯୁକ୍ତ କୁକୁରମାନଙ୍କ ପାରିଶ୍ରମିକ କେତେ ଧାର୍ଯ୍ୟ କରାଯାଇଛି । ଏମିତି ନାନା ପ୍ରଶ୍ନ ମୁଣ୍ଡରେ ପଶିଗଲା ।

ଖାଲି ସେତିକି ନୁହେଁ ପୁଣି ଭାବିଲି, ୟା ଭିତରେ ନବୀନ ପଟ୍ଟନାୟକ ‘ମୋ କୁକୁର ଯୋଜନା’ ଘୋଷଣା କରିଛନ୍ତି କି? ‘ମୋ କୁକୁର ଯୋଜନା’ ଜରିଆରେ ବୁଲା କୁକୁରଙ୍କୁ କୋଉ ସୁବିଧା ମିଳିବ । ପୋଷା କୁକୁରଙ୍କୁ କୋଉ ସୁବିଧା ମିଳିବ । ବୁଲା କୁକୁରଙ୍କୁ ବିଜୁ ପକ୍କା ଘର ମିଳିବ କି ନାହିଁ । ପୋଷା କୁକୁରଙ୍କୁ ସକାଳେ ବୁଲାଉଥିବା ମାଲିକମାନେ କେତେ ମିଟର ଚେନ୍‌ରେ ବାନ୍ଧି ବୁଲାଇବେ ।
ବିଏମ୍‌ସିର କୁକୁର ନିୟନ୍ତ୍ରଣ ଯୋଜନାରୁ ବାଦ ପଡ଼ିଥିବା ବୁଲା କୁକୁର ପଥଚାରୀଙ୍କୁ କାମୁଡ଼ିଲେ, ବିଏମ୍‌ସି ପକ୍ଷରୁ ଆହତ ପଥଚାରୀଙ୍କୁ କେତେ ଅନୁକମ୍ପା ରାଶି ମିଳିବ? ସରକାରଙ୍କ ପକ୍ଷରୁ ଆହତ ପଥଚାରୀଙ୍କୁ କେତେ ଅନୁକମ୍ପା ରାଶି ମିଳିବ । ପୋଷା କୁକୁର କାମୁଡ଼ାରେ ଆହତ ପଥଚାରୀଙ୍କୁ କିଏ ଅନୁକମ୍ପା ରାଶି ପ୍ରଦାନ କରିବେ? କେତେ ପରିମାଣର ଅନୁକମ୍ପା ରାଶି ପ୍ରଦାନ କରିବେ? କେତେ ଦିନ ଭିତରେ ଅନୁକମ୍ପା ରାଶି ପ୍ରଦାନ କରିବେ? ସେସବୁ ଜାଣିବା ନିହାତି ଦରକାର । କାରଣ ଭୁବନେଶ୍ୱର ରାସ୍ତାରେ ବୁଲା କୁକୁର ପଲ ପଥଚାରୀଙ୍କ ହାତରେ ଠେଙ୍ଗା ଦେଖିଲେ, ଖଣ୍ଡେ ବାଟ ଦୂରରେ ଠିଆ ହୋଇ ଭୁକନ୍ତି । କିନ୍ତୁ ପୋଷା କୁକୁର ପଥଚାରୀଙ୍କ ହାତରେ ଠେଙ୍ଗା ଦେଖିଲେ, ସାହସର ସହିତ ଚିହିଁକି ଯାନ୍ତି କାରଣ ପରିଣାମକୁ ସାମ୍ନା କରିବା ପାଇଁ ପାଖରେ ମାଲିକ ଅଛନ୍ତି । ଏମିତି ନାନା କଥା ମନରେ ଜୁଟିଲା । ଖବର ଭିତରକୁ ଯିବାକୁ ଇଛା ହେଲା । ପୁଲିସ ବିଭାଗ ପାଖରେ ଥିବା କୁକୁରମାନଙ୍କୁ ଚୋର ଧରିବା ପାଇଁ ତାଲିମ ଦିଆଯାଇଛି । ବିଏମ୍‌ସି ଗଣିବା ପାଇଁ ନିଯୁକ୍ତ କୁକୁରଙ୍କୁ କିଏ ତାଲିମ ପ୍ରଦାନ କରିଛି ।

ଖବର ଭିତରକୁ ଗଲି । ଯାହା ପଢ଼ିଲି । ଦେହରୁ ଝାଳ ବହିଗଲା । ହେ ଭଗବାନ, ‘ସମ୍ବାଦ’ ଡେସ୍କରେ କାର୍ଯ୍ୟରତ ସହ ସମ୍ପାଦକମାନେ ଏମିତି ଶୀର୍ଷକ ଲେଖି ପାଠକଙ୍କୁ ବୋକା ବନାଉଛନ୍ତି । ଭିତରେ କୁକୁର ଗଣିବା ପାଇଁ ବିଏମ୍‌ସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ହେଲେ ଖବର ଶୀର୍ଷକରେ ଲେଖାଯାଇଛି ‘କୁକୁର ଗଣିବ ବିଏମ୍‌ସି’ ।