ଛାତ୍ରଛାତ୍ରୀଙ୍କ କାମରେ ଲାଗୁନି ଲକ୍ଷ୍ମୀ ବସ୍

ଲୋକଙ୍କ ସରକାର । ପିଲାଙ୍କ ପାଠପଢ଼ା ପାଇଁ ସ୍ଥାୟୀ………

ହରଭଙ୍ଗା: ଲୋକଙ୍କ ସରକାର । ପିଲାଙ୍କ ପାଠପଢ଼ା ପାଇଁ ସ୍ଥାୟୀ ସମାଧାନ କରି ନପାରିଲେ, ଲୋକମାନେ ମିଳିମିଶି ସମାଧାନ କରିବା ଉଚିତ । ଏ କଥା ଲୋକଙ୍କୁ ବୁଝାଇବ କିଏ? ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାଣିଗୋଛରୁ ତଳଗାଁକୁ ନାହିଁ ଯାତ୍ରୀବାହୀ ବସ । ପରୀକ୍ଷା ସାରି ୧୫ କି.ମି ଚାଲି ଚାଲି ଘରକୁ ଗଲେ ଛାତ୍ରଛାତ୍ରୀ । ନେତାଜୀ ସୁବାସ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ ବୋର୍ଡ ପରୀକ୍ଷା ଦେଇ ଦିନ ୨ଟାରେ କୌଣସି ବସ, ଅଟୋ ନ ଥିବାରୁ ୧୨ ଜଣ ଛାତ୍ରଛାତ୍ରୀ ଚାଲି ଚାଲି ଯାଇ ଘରେ ସନ୍ଧ୍ୟା ୬ରେ ପହଂଚିଥିବା ଶୁଣିବାକୁ ମିଳିଛି ।
ଘରୋଇ ଯାତ୍ରୀବାହୀ ପଂଚାୟତଠାରୁ ଜିଲ୍ଲାକୁ ଠିକ ସମୟରେ ଯିବାଆସିବା କରୁ ନ ଥିବାରୁ ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।
ବସ୍ ତଳଗାଁ ପଂଚାୟତ ଗଣ୍ଡିଶ୍ୱରଠାରୁ ସକାଳ ୬ ଟାରେ ଛାଡି ବୌଦ୍ଧରେ ୧୦ ଟାରେ ପହଂଚି ଦିନ ୧୨ଟା ୪୫ ମିନିଟରେ ଛାଡ଼ୁ ଥିବାବେଳେ ଭାୟା ବାଣିଗୋଛାରୁ ଅପରାହ୍ନ ୩ ଟାରେ ଛାଡି ଗଣ୍ଡିଶ୍ୱରରେ ୪ଟା ୩୦ ମିନିଟରେ ପହଂଚୁଛି । ମାତ୍ର ସେହି ବସଟି ନିୟମିତ ଯା’ଆସ କରୁନି । ତେଣୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଅସୁବିଧା ହେଉଛି । ଏ ସଂପର୍କରେ ତଳଗାଁରୁ ସପ୍ନେଶ୍ୱର ଯାଉଥିବା ବସଟିକୁ ନିୟମିତ କରାଯିବା ଉପରେ ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ବୌଦ୍ଧରୁ ଫେରିବା ବେଳେ ବାଣିଗୋଛାରୁ ୪ଟା ୧୫ ମିନିଟରେ ଛାଡ଼ିଲେ ଉକ୍ତ ବସଟି ଛାତ୍ରଛାତ୍ରୀଙ୍କ ପାଇଁ ସୁବିଧାଜନକ ହେବ ବୋଲି କୁହାଯାଉଛି । ବ୍ଲକରୁ ପଂଚାୟତ ମୁଖ୍ୟାଳୟକୁ ଚଳାଚଳ କରୁଥିବା ଲକ୍ଷ୍ମୀ ବସ୍ଟି ପଂଚାୟତର ଶେଷସୀମାରେ ଥିବା ଗ୍ରାମଗୁଡ଼ିକୁ ଯାଉନି ବୋଲି ଅଭିଯୋଗ ଶୁଣିବାକୁ ମିଳୁଛି । ଏ ସଂପର୍କରେ ବୌଦ୍ଧ ପରିବହନ କାର୍ଯ୍ୟାଳୟର ଦୃଷ୍ଟି ଆକର୍ଷଣ କରାଯାଉଛି । ମାତ୍ର ତା’ର ସୁଫଳ ଅଦ୍ୟାବଧି ମିଳିଲାନି ।