ବାଲେଶ୍ୱର ବସଷ୍ଟାଣ୍ଡରୁ ବ୍ରାଉନସୁଗାର ଜବତ

ଭୁବନେଶ୍ୱର(ଏସ୍ ନ୍ୟୁଜ): ନିଜ ସଫଳତାର ପୃଷ୍ଠାରେ ଗୋଟେ ପରେ ଗୋଟେ ଅଧ୍ୟାୟ ଯୋଡ଼ି ଚାଲିଛି ରାଜ୍ୟ ଏସଟିଏଫ୍। ଗୁଇନ୍ଦା ରିପୋର୍ଟ ଆଧାରରେ ବାଲେଶ୍ୱର ବସଷ୍ଟାଣ୍ଡ ଠାରେ ରେଡ଼୍ କରି ୧ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରିବା ସହ ମାଷ୍ଟରମାଇଣ୍ଡକୁ ଗିରଫ କରିବାରେ ସଫଳ ହୋଇଛି ଏହି ଟିମ୍।

ସୂଚନାଯୋଗ୍ୟ, ବସଷ୍ଟାଣ୍ଡରେ ବେଆଇନ ନିଶା କାରବାର ଚାଲିଥିବା ନେଇ ଗୁଇନ୍ଦା ଖବର ପାଇଥିଲା ଏସଟିଏଫ୍। ପରେ ଗତକାଲି ରାତ୍ରିରେ ଏକ ସ୍ୱତନ୍ତ୍ର ଟିମ୍ ସେ ସ୍ଥାନରେ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ୧ କେଜି ୩୨୦ ଗ୍ରାମର ବ୍ରାଉନସୁଗାର ସହ ଅନ୍ୟାନ୍ୟ ନିଶାଦ୍ରବ୍ୟ ଉଦ୍ଧାର ହୋଇଥିଲା। ଏହି ବେଆଇନ ଧନ୍ଦା ଚଳାଉଥିଲା ବାଙ୍କ ଖଜୁରୀ ଅଞ୍ଚଳର ରିୟାଜୁଦ୍ଦିନ। ଅଭିଯୁକ୍ତ ଏ ବାବଦରେ କିଛି ନ କହିବାରୁ ପୋଲିସ ତାକୁ ଗିରଫ କରିଛି।

ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯିବାକୁ ଥିବାବେଳେ ତା ନାଁରେ STF PS କେସ୍ ନଂ ୨୨, ୨୧(c) NDPS, ଆଇନ୍ ୧୯୮୫ ଆଧାରରେ ମାମଲା ରୁଜୁ ହୋଇଛି। ସପ୍ଲାଇ ଚେନ୍ ସମ୍ପର୍କରେ ଅଧିକା ଜାଣିବାକୁ ତଦନ୍ତ ଜାରି ରହିଛି।

୨୦୨୦ରେ ଆକ୍ସନ ମୁଡ଼କୁ ଆସି ଏସଟିଏଫ୍ ଏବେସୁଦ୍ଧା ୧୬ କେଜି ୭୧୧ ଗ୍ରାମର ବ୍ରାଉନ୍ ସୁଗାର ଜବତ କରିସାରିଲାଣି। ଏହାସହ ୪୧ ଜଣ ନିଶା ବେପାରୀଙ୍କୁ ଗିରଫ କରିସାରିଲାଣି। ସେମାନଙ୍କ ନାଁରେ ୪୧ଟି ମାମଲା ଚାଲିଛି।