ମିଲେଟ ଟିଫିନ୍ ସେଣ୍ଟର ଓ ଜୈବିକ ଖତ ପ୍ରସ୍ତୁତି ଉପରେ ଦକ୍ଷତା ବୃଦ୍ଧି ତାଲିମ

ଗଣିଆ – ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଗଣିଆ ଉନ୍ନୟନ କମିଟି ସହଯୋଗରେ ତଥା ଜିଲ୍ଲା କୃଷି ଅଧିକାରୀ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଆତ୍ମା ସହାୟତାରେ ମିଲେଟ ଟିଫିନ୍ ସେଣ୍ଟର ଓ ଜୈବିକ ଖତ ପ୍ରସ୍ତୁତି ଉପରେ ଦକ୍ଷତା ବୃଦ୍ଧି ତାଲିମ ଅନୁଷ୍ଠିତ ହୋଇଯାଇଛି । ଗଣିଆ ଉନ୍ନୟନ କମିଟି ସଭାପତି ଉଷା ପଟ୍ଟନାୟକଙ୍କ ସଭାପତିତ୍ବରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁମନ ସିଂ ପଟ୍ଟନାୟକ,ନଭେଷ କୁମାର ପଟ୍ଟନାୟକ ଯୋଜନା ଅଧିକାରୀ ଶ୍ରୀ ଅନ୍ନ ଅଭିଯାନ, ମୋନାଲିସା ବେହେରା ବ୍ଳକ କୃଷି ଅଧିକାରୀ ପ୍ରମୁଖ ମଞ୍ଚାସୀନ ଥିଲେ । କୃଷି ଅଧିକାରୀ ମିଲେଟ ଟିଫିନ୍ ସେଣ୍ଟର ଏବଂ ଜୈବିକ ଖତ ପ୍ରସ୍ତୁତି ଉପରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ।

ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ସରକାରଙ୍କର ଏଭଳି ଲୋକାଭିମୁଖୀ ଯୋଜନାକୁ ସଫଳତାର ସହିତ ଚଲେଇବାକୁ କୃଷି ଅଧିକାରୀ ଉପସ୍ଥିତ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଅନୁରୋଧ କରିଥିଲେ । ଟିଫିନ୍ ସେଣ୍ଟର ଗୁଡିକୁ ପରିସ୍କାର ପରିଚ୍ଛନ୍ନ ରଖିବା ସହିତ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ଦରକାର ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ଗଣିଆ ବଜାରରେ ଗ୍ରାମ୍ୟ ମହିଳା ବିକାଶ କେନ୍ଦ୍ର ତରଫରୁ ଏକ ଟିଫିନ୍ ସେଣ୍ଟର ଏବଂ ଗଣିଆ ହାଟ ପଡ଼ିଆ ଭିତରେ ମହାମାୟୀ ସ୍ବୟଂ ସହାୟକ ଗୋଷ୍ଠୀ,ଇନ୍ଦିପଟା ସହଯୋଗରେ ଏକ ଟିଫିନ୍ ସେଣ୍ଟର ଉଦଘାଟନ କରାଯାଇଥିଲା । ଏହି ଟିଫିନ୍ ସେଣ୍ଟରରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପ୍ରସ୍ତୁତ କରାଯାଇ ସୁଲଭ ମୂଲ୍ୟରେ ବିକ୍ରୟ କରାଯିବ ବୋଲିି ଟିଫିନ୍ ସେଣ୍ଟର ପରିଚାଳିକା ରଞ୍ଜୁଲତା ପଣ୍ଡା ପ୍ରକାଶ କରିଥିଲେ ।