ରାଜଧାନୀ ଖଟି: କଳଙ୍କିତ ପୁଲିସ କର୍ମଚାରୀଙ୍କୁ ଚାକିରିରୁ ବିଦା କରୁ ବିଜେପି

ବିଜେଡି ସରକାର ଅମଳରେ ପୁଲିସ ପ୍ରଶାସନରେ ନିଯୁକ୍ତ ପ୍ରତି ଯୁବକ ଯୁବତୀଙ୍କ ବ୍ୟକ୍ତିଗତ ଚରିତ୍ରଗତ ପ୍ରମାଣପତ୍ର ସଫା ନଥିବା ପ୍ରତୀୟମାନ ହୁଏ । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ଆଇପିଏସ୍‌ ଅଧିକାରୀ ଅରୁଣ ବୋଥ୍ରା ହୁଅନ୍ତୁ ଅବା କୁଜଙ୍ଗ ଥାନାର ପୂର୍ବତନ ଅଧିକାରୀ ତପନ ନାହକ ହୁଅନ୍ତୁ ନତୁବା ହୁଅନ୍ତୁ ଭରତପୁର ଥାନାର ତିନିଜଣ ଅଭିଯୁକ୍ତ ପୁଲିସ କର୍ମଚାରୀ ।

କାହାରି କ୍ଷେତ୍ରରେ କାଳକ୍ଷେପଣ ନୀତି ଗ୍ରହଣ କରା ନଯିବା ଦରକାର । ପୁଲିସ ଚାକିରିରେ ନିଯୁକ୍ତ ପୂର୍ବରୁ ହେଉ ଅବା ପରେ, କୌଣସି କର୍ମଚାରୀଙ୍କ ଚରିତ୍ରରେ ସାମାନ୍ୟ ଦାଗ ଆଦୌ ବରଦାସ୍ତ ଯୋଗ୍ୟ ନୁହେଁ । ଖାକି ପୋଷାକରେ କଳଙ୍କ ଲଗାଉଥିବା କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର । ‘ସରକାରୀ ପଦବୀର ଫାଇଦା ଉଠାଉଥିବା ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ କଠୋର ହସ୍ତରେ ଦମନ କରି ବିଜେପି ସରକାର ନିଜକୁ ଧୁଆମୁଗ ପ୍ରମାଣ କରନ୍ତୁ । ’ ଆଜି (ଗୁରୁବାର) ଚକେଇସିହାଣି ଦୁର୍ଗାମଣ୍ଡପ ନିକଟ ଚା’ ଦୋକାନ ଆଗରେ ଠିଆ ହୋଇ କିଛି ବୁଦ୍ଧିଜୀବୀ ଚା’ ପିଉଥିଲା ବେଳେ ବିଜେପି ସରକାରଙ୍କ ପୁଲିସ ପ୍ରତି ଉଦାରତା ସଂପର୍କରେ ଆଲୋଚନା କରୁଥିଲେ । ତା’ର ସାରାଂଶକୁ ସ୍ଥାନ ଦେଇ ଆମେ ପୁଲିସ ପ୍ରତି ସାଧାରଣ ଜନତାଙ୍କ ମନରେ କେତେ ସରାଗ ଭରିରହିଛି, ସେ ସଂପର୍କରେ ବିଜେପି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛୁ ମାତ୍ର ।