ହସ୍ତଶିଳ୍ପ ସଂଗ୍ରହାଳୟ-କଳାଭୂମିର ଅଷ୍ଟମ ପ୍ରତିଷ୍ଠା ଦିବସ ପାଳିତ; ବିଶ୍ୱ ଦରବାରରେ ଓଡ଼ିଶାର କଳାକୁ ପହଞ୍ଚାଇବାକୁ ଆହ୍ୱାନ

ଭୁବନେଶ୍ୱର : ଗଣ୍ଡମୁଣ୍ଡାଠାରେ କଳାଭୂମିର ଅଷ୍ଟମ ପ୍ରତିଷ୍ଠା ଦିବସ ପାଳନ ହୋଇ ଯାଇଛି। ଏହି ଅବସରରେ ଦର୍ଶକମାନଙ୍କ ପାଇଁ ସଂଗ୍ରହାଳୟ ମଧ୍ୟକୁ ପ୍ରବେଶ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କରାଯାଇଥିବା ବେଳେ ସେମାନଙ୍କ ମନୋରଞ୍ଜନ ନିମନ୍ତେ ସିତାର, ତବଲା ବାଦନ ସହ ଓଡ଼ିଶୀ ଓ ସମ୍ବଲପୁରୀ ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ହସ୍ତଶିଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ନିବେଦିତା ପୃଷ୍ଟି , ହସ୍ତତନ୍ତ ଓ ବୟନ ନିର୍ଦ୍ଦେଶକ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ଏବଂ ସିଡାକ୍‌ର ସଦସ୍ୟ ସଚିବ ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳଙ୍କ ସମେତ ବିଭାଗର ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ।

ସଭାରେ କଳାଭୂମିର ଭିତ୍ତିପ୍ରସ୍ତର ସ୍ଥାପନଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ହୋଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରାଯିବା ସହ ଏହି ଅନୁଷ୍ଠାନକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା। ପରିଶେଷରେ ସଂଗ୍ରହାଳୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଶାଶ୍ୱତୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶାର ହସ୍ତତନ୍ତ ଏବଂ ହସ୍ତଶିଳ୍ପର ସମୃଦ୍ଧ ପରମ୍ପରାକୁ ପ୍ରଦର୍ଶିତ କରୁଥିବା ଏହି ସୁସଜ୍ଜିତ ପରିବେଶ ଏବଂ କଳାକୃତିଗୁଡ଼ିକର ଅନୁଭୂତି ନେବା ପାଇଁ ବହୁ ମାତ୍ରାରେ ଦର୍ଶକ ମାନେ କଳାଭୂମି ଉତ୍ସବରେ ସାମିଲ ହୋଇଥିଲେ ତଥା ଓଡ଼ିଶାର ସାଂସ୍କୃତିକ ଅଭିବ୍ୟକ୍ତିକୁ ଉପଭୋଗ କରିଥିଲେ।

ଓଡ଼ିଶାର କାରିଗରମାନଙ୍କ ଅପୂର୍ବ କଳାକୃତିକୁ ପ୍ରଦର୍ଶନ କରିବା ପାଇଁ ପ୍ରତିଷ୍ଠିତ ‘କଳାଭୂମି’ରେ ଟେରାକୋଟା, ପାରମ୍ପରିକ ଚିତ୍ରକଳା, ପଥର ଖୋଦେଇ ଏବଂ ଧାତୁ ଶିଳ୍ପ ପାଇଁ ସ୍ୱତନ୍ତ୍ର ଗ୍ୟାଲେରୀ ରହିଛି, ଯାହା ଭୁବନେଶ୍ୱରରେ ସାଂସ୍କୃତିକ ସଂରକ୍ଷଣ ଏବଂ ପର୍ଯ୍ୟଟନର ଏକ ପ୍ରମୁଖ କେନ୍ଦ୍ର ଭାବରେ କାର୍ଯ୍ୟ କରୁଛି।
୨୨ ମାର୍ଚ୍ଚ ୨୦୧୮ ଠାରୁ ଆଜି ପର୍ଯ୍ୟନ୍ତ ଗତ ୨୯୨୨ ଦିନ ମଧ୍ୟରେ କଳାଭୂମି ସାରା ବିଶ୍ୱରୁ ଛାତ୍ରଛାତ୍ରୀ, କ୍ୟୁରେଟର, ଗବେଷକ, ନୃତତ୍ତ୍ଵ ବିଜ୍ଞାନୀ ଏବଂ ସଂଗ୍ରହାଳୟ ପ୍ରେମୀମାନଙ୍କୁ ସ୍ୱାଗତ କରିଛି। ଆମ ରାଜ୍ୟର କାରିଗର ଏବଂ ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଏବଂ ରୂପାନ୍ତରିତ ଏହି ଅନୁଷ୍ଠାନ ଶିକ୍ଷା ଏବଂ ସାଂସ୍କୃତିକ ଆଦାନପ୍ରଦାନର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ ହୋଇଛି। କେବଳ ସେତିକି ନୁହେଁ ଚଳିତ ବର୍ଷ ୨୦ତମ ଭବ୍ୟ ତୋଷାଳୀ ମେଳା ପାଳନ ଅବସରରେ ନିକଟ ଅତୀତରେ ୧୦୦୦ରୁ ଉର୍ଦ୍ଧ୍ଵ ଟେରାକୋଟା ହସ୍ତଶିଳ୍ପୀ ଭାଗନେଇ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ।

ଏହି ଟେରାକୋଟା ଶିଳ୍ପୀ ମାନଙ୍କ କଳାକୃତିକୁ କଳାଭୂମିରେ ସଜାଇ ରଖାଯାଇଛି ଯାହାକି ଦର୍ଶକମାନଙ୍କ ଦୃଷ୍ଟି ଆକର୍ଷଣ କରୁଛି। “ପରମ୍ପରାର ସୁରକ୍ଷା ହିଁ ପ୍ରଗତିର ପ୍ରକୃତ ପରିଚୟ” ଯାହାକି କଳାଭୂମି ପ୍ରମାଣିତ କରିପାରିଛି । ଆମ କଳା ଓ ସଂସ୍କୃତି କୁ ବଞ୍ଚାଇ ରଖିବା ହେଉଛି କଳାଭୂମିର ମୁଖ୍ୟ ଲକ୍ଷ୍ୟ କାରଣ ଆମର କଳା ଓ ସଂସ୍କୃତି କେବଳ ଇତିହାସ ନୁହେଁ, ଏହା ଆମ ଭବିଷ୍ୟତ ପାଇଁ ଏକ ଜୀବନ୍ତ ପ୍ରେରଣା। ତେଣୁ ଏହାର ସୁରକ୍ଷା ହିଁ ଆମର ପରିଚୟକୁ ଆଗାମୀ ପିଢ଼ି ପାଇଁ ଅକ୍ଷୁର୍ଣ୍ଣ ରଖିବ।