ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଭାରତୀୟ ଜନଗଣନା-୨୦୨୭
ପ୍ରସ୍ତୁତି ପରିପ୍ରେକ୍ଷୀରେ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା
ଜନଗଣନା ଭଳି ଜାତୀୟ ମହାନ କାର୍ଯ୍ୟରେ ସକ୍ରିୟ ଭାବେ ସାମିଲ ହୋଇ ସମୟାନୁସାରେ କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଯୋଜନା ଏବଂ ସଂଯୋଜନ ବିଭାଗ ଆନୁକୂଲ୍ୟରେ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ମଧ୍ୟରେ ଭାରତୀୟଜନଗଣନା-୨୦୨୭ ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ଆଲୋଚନା କରାଯାଇଥିଲା ।
ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ମହାନଗର ନିଗମଗୁଡିକର ଆୟୁକ୍ତ ତଥା ପ୍ରମୁଖ ଜନଗଣନା ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ । ମୁଖ୍ୟ ଶାସନ ସଚିବ ଜନଗଣନା ଭଳି ଜାତୀୟ ମହାନ କାର୍ଯ୍ୟରେ ସକ୍ରିୟ ଭାବରେ ସାମିଲ ହୋଇ ନ୍ୟସ୍ତ ଥିବା କାର୍ଯ୍ୟଗୁଡିକୁ ସମୟାନୁସାରେ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ।

ବୈଠକରେ ରାଜ୍ୟ ଜନଗଣନା ନିର୍ଦ୍ଦେଶକ ଶ୍ରୀ ନିଖିଳ ପବନ କଲ୍ୟାଣ, ଭାରତୀୟ ଜନଗଣନା ୨୦୨୭ ର ପ୍ରଥମ ପର୍ଯ୍ୟାୟର ଗୃହଗଣନା ଓ ଗୃହତାଲିକା ପ୍ରସ୍ତୁତିର ବିବରଣୀ ଉପସ୍ଥାପନ କରିଥିଲେ। ଓଡ଼ିଶାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା ଓ ଗୃହତାଲିକା କାର୍ଯ୍ୟକ୍ରମ ଅପ୍ରେଲ ୧୬ ରୁ ଆରମ୍ଭ ହୋଇ ମଇ ୧୫ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ଅପ୍ରେଲ ୧ ରୁ ଅପ୍ରେଲ ୧୫ ମଧ୍ୟରାତ୍ର ପର୍ଯ୍ୟନ୍ତ ସ୍ଵ-ଗଣନାର ପ୍ରାବଧାନ ରହିଛି। ଏହି ଅବସରରେ ଶ୍ରୀ କଲ୍ୟାଣ ଜିଲ୍ଲାମାନଙ୍କରେ ବର୍ତ୍ତମାନର କାର୍ଯ୍ୟର ସ୍ଥିତି ବିଷୟରେ ଆଲୋକପାତ କରିଥିଲେ।
ଏହି ସମ୍ମିଳନୀରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଦେଓ ରଞ୍ଜନ କୁମାର ସିଂ ଅଂଶ ଗ୍ରହଣ କରି ଜନଗଣନା ତଥ୍ୟର ବହୁମୂଲ୍ୟ ଉପଯୋଗିତା ବିଷୟରେ ଅବଗତ କରାଇଥିଲେ । ଜନଗଣନା ନିମନ୍ତେ ଓଡ଼ିଶାର ନୋଡାଲ ବିଭାଗ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀଅଂଶଗ୍ରହଣ କରି ଜନଗଣନାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ଜିଲ୍ଲାପାଳମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ ।