ପୁରୀ: ପୁରୀ ଶ୍ରୀମନ୍ଦିର ଅସୁରକ୍ଷିତ ବୋଲି ହାଇକୋର୍ଟଙ୍କ ଗଠିତ କମିଟି ସ୍ପଷ୍ଟ କରିଛି । ହାଇକୋର୍ଟଙ୍କଠାରୁ କ୍ଷମତା ପାଇ ଶ୍ରୀମନ୍ଦିର ବେଢ଼ା ବୁଲି ଯାଂଚ କରିଥିଲେ ଏନ୍କେ ଦାସ । ଆମିକ୍ୟୁସ କ୍ୟୁରି ଏନ୍କେ ମହାନ୍ତି ଓଡ଼ିଶା ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ଯେ ଶ୍ରୀମନ୍ଦିର ଜଗମୋହନ କାନ୍ଥରେ ବହୁ ଫାଟ ସୃଷ୍ଟି ହୋଇଛି ଯାହା ଆଗାମୀ ଦିନରେ ମହାବିପଦକୁ ଡାକି ଆଣିବାର ସମ୍ଭାବନା ରହିଛି । ଉକ୍ତ ଫାଟଗୁଡ଼ିକର ତୁରନ୍ତ ମରାମତି ଦରକାର ।
ଶ୍ରୀ ମହାନ୍ତି ପୁରୀର ଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟମନ୍ଦିରକୁ ବୁଲି ମରାମତି କାର୍ଯ୍ୟ ପ୍ରତି ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ମାଡ୍ରାସ ଆଇଆଇଟି ପ୍ରସ୍ତୁତ ରିପୋର୍ଟରେ ସତ୍ୟାସତ୍ୟ କହି ଆମିକ୍ୟୁସ କ୍ୟୁରି ମହାନ୍ତି କହିଛନ୍ତି ନାଟମଣ୍ଡପର ଖମ୍ବଗୁଡ଼ିକର ମରାମତି କାମକୁ ଅଟକାଇ ଏଏସ୍ଆଇ କିଛି ଭଲ କରିନି । ବରଂ ଅଧାପନ୍ତରିଆ କାମ ଯୋଗୁଁ ନାଟମଣ୍ଡପର ଅବସ୍ଥା ଆହୁରି ଖରାପ ଆଡ଼କୁ ଗତି କରିଛି । ଆଇଆଇଟି ରିପୋର୍ଟ ସ୍ପଷ୍ଟ କରିଥିଲା ଯେ ନାଟମଣ୍ଡପ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିରର ବାହାର ପାଶ୍ୱର୍କୁ ଯେତେ ସୁନ୍ଦର କଲେ କ’ଣ ହେବ? ମୂଳ ମନ୍ଦିରକୁ ସଂପୂର୍ଣ୍ଣ ଅବହେଳା କରି ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅବିଚାର କରିଛନ୍ତି । ଶ୍ରୀମନ୍ଦିର ଚାରିପାଖକୁ ସୌନ୍ଦର୍ଯ୍ୟମୟୀ କରିବାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଟିମ ବହୁ ପୁରାତନ ଐତିହ୍ୟକୁ ଛାରଖାର କରିଛନ୍ତି । ଶ୍ରୀମନ୍ଦିର ଚାରିପାଖକୁ ଖୋଳିବା ଭିତରେ ବହୁ ପୁରାତନ ଭଗ୍ନ କିର୍ତୀରାଜିକୁ ନଷ୍ଟ କରି ଦିଆଯାଇଛି ।
ଉକ୍ତ ପୁରାତନ କିର୍ତୀରାଜିକୁ ଅଧ୍ୟୟନ କଲେ ବହୁ ମୂଲ୍ୟବାନ ତଥ୍ୟ ସାମ୍ନାକୁ ଆସିଥାନ୍ତା ବୋଲି କିଛି ବୁଦ୍ଧିଜୀବୀ ଯୁକ୍ତି କରୁଛନ୍ତି । ରାଜ୍ୟ ପ୍ରଶାସନର କାର୍ଯ୍ୟଧାରାକୁ ବିରୋଧ କରି କିଛି ସଂଗଠନ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ରାଜ୍ୟ ସରକାର ଅଦାଲତଙ୍କ ନିକଟରେ ସତ୍ୟପାଠ ଦାଖଲ କରି ତ୍ରୁଟି ସଂଶୋଧନ ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ ।
ଫଳରେ ଅଦାଲତ ରାଜ୍ୟ ସରକାରଙ୍କ ଉପରୁ ଦୃଷ୍ଟି ହଟାଇ ଆବେଦନକାରୀଙ୍କ ଉପରେ ଜରିମାନା ଲାଗୁ କରିଥିଲେ । ମାତ୍ର ହାଇକୋର୍ଟଙ୍କ ଆମିକ୍ୟୁସ କ୍ୟୁରି ରାଜ୍ୟ ସରକାରଙ୍କ ଚିତାକଟା ନୀତିକୁ ଧରାପକାଇ ଦେଇଛନ୍ତି । ମହାପ୍ରଭୁଙ୍କ ନବକଳେବରଠାରୁ ପ୍ରାୟ ପ୍ରତିଟି କାମରେ ମୁଖ୍ୟମନ୍ତ୍ରୀଙ୍କ ଟିମ୍ ମନମାନି କରି ଚାଲିଛନ୍ତି । ସ୍ୱେଚ୍ଛାଚାରୀ ପ୍ରଶାସକଙ୍କ ଅମାନିଆ ମନୋଭାବକୁ ସ୍ପଷ୍ଟ କରିଛନ୍ତି ହାଇକୋର୍ଟଙ୍କ କ୍ଷମତାପ୍ରାପ୍ତ କମିଟି ।