ସିଧାସଳଖ ସ୍ୱାଭିମାନ ଅଂଚଳର ବିକାଶର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଏସ୍ ନ୍ୟୁଜ): ମାଲକାନଗିରିର ସ୍ୱାଭିମାନ ଅଂଚଳବାସୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ସହିତ ସିଧାସଳଖ ଫୋନ ଯୋଗେ କଥା ହେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଂଚଳରେ ବିକାଶ କାମର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ୯ଟି ପଂଚାୟତର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଫୋର-ଜି ମୋବାଇଲ ଫୋନ ବଂଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

୨୦୧୮ ଜୁଲାଇରେ ଗୁରୁପ୍ରିୟା ସେତୁ ଉଦଘାଟନ ପରେ ବାଲିମେଳା ଜଳ ଭଣ୍ଡାର ଆରପଟେ ଥିବା ୯ଟି ପଂଚାୟତକୁ ବିଚ୍ଛିନ୍ନାଂଚଳ କୁହାଯାଉ ଥିବାବେଳେ ଏଠାକାର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ସରକାର ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ତେଣୁ ଏସବୁ ଜନକଲ୍ୟାଣକାରୀ ଯୋଜନାଗୁଡିକ ସମୀକ୍ଷାକୁ ନେଇ ଲୋକଙ୍କ ସହ ସିଧାସଳଖ କଥାହୋଇଛନ୍ତି ନବୀନ । ଏଥିସହ ସ୍ୱାଭିମାନ ଅଂଚଳରେ ଭାରତୀ ଏୟାରଟେଲ ପକ୍ଷରୁ ୪-ଜି ଟାୱାର ସ୍ଥାପନ କରାଯାଇଛି ।

ତେବେ ସ୍ୱାଭିମାନ ଅଂଚଳରେ ୪-ଜି ସେବା ଆରମ୍ଭ ହୋଇଥିବାବେଳେ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଂଚାଇବାକୁ ସରକାର ୯ଟି ପଂଚାୟତର ପ୍ରତ୍ୟେକ ଲୋକଙ୍କୁ ମୋବାଇଲ ଫୋନ ବଂଟନ କରିବାକୁ ନିଷ୍ପତି କରିଛନ୍ତି । ଏଠାରେ ଆଉ ୩ଟି ମୋବାଇଲ ଟାୱାରର ଯୋଜନା ରହିଛି । ଯାହାଫଳରେ ପିଲାମାନଙ୍କ ପାଠପଢାରେ ସୁବିଧା ହେବ । ଏହାସହ ୪୧୯ଟି ଡିପ୍ ବାରୋୱେଲ କରି ୧୭୦୦ ହେକ୍ଟର ଜମିକୁ ପାଣି ମିଳିବ ।ସ୍ଥାନୀୟ ଅଞ୍ଚଳରେ ୧୪ଟି ନୂଆ ରାସ୍ତା ତିଆରି ନେଇ ଟେଣ୍ଡର ଦିଆଯାଇଥିବା ବେଳେ, ୭ଟି ରାସ୍ତାର କାର୍ଯ୍ୟ ଜାରି ରହିଛି ।