ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଜଳ ସମ୍ପଦ ବିଭାଗର ବିଭିନ୍ନ ଡ୍ୟାମ ଓ ବୃହତ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଉପରେ ସମୀକ୍ଷା କରି ୫ଟି ବୃହତ୍ ଜଳସେଚନ ପ୍ରକଳ୍ପ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ବୈଠକରେ ସୁନ୍ଦରଗଡ଼ ଜିଲ୍ଲାରେ ଇବ ଜଳସେଚନ ପ୍ରକଳ୍ପ, ବରଗଡ଼ ଜିଲ୍ଲାରେ ଅଙ୍ଗ ଜଳସେଚନ ପ୍ରକଳ୍ପ, କେନ୍ଦୁଝର ଜିଲ୍ଲାରେ ଭୀମକୁଣ୍ଡ ବ୍ୟାରେଜ ପ୍ରକଳ୍ପ, ଝାରପଡା ଜଳସେଚନ ପ୍ରକଳ୍ପ, ଓ କାନୁପୁର ଜଳସେଚନ ପ୍ରକଳ୍ପର ବର୍ତ୍ତମାନର ସ୍ଥିତି ଏବଂ ଆଗାମୀ ଦିନରେ ଏହି ପ୍ରକଳ୍ପ ଗୁଡିକ କିପରି ତ୍ୱରାନ୍ୱିତ ହେବ ସେ ବିଷୟରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପ ଦୀର୍ଘ ଦିନ ଧରି ପ୍ରସ୍ତାବିତ ହେବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ । ତେଣୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ ।
ବୈଠକର ଆଲୋଚନାରୁ ଜଣାଯାଇଛି ଯେ, ଇବ୍ ଜଳସେଚନ ପ୍ରକଳ୍ପ ଦ୍ୱାରା ପ୍ରାୟ ୧,୦୬,୨୭୯ ହେକ୍ଟର ଜମି ଜଳସେଚିତ ହୋଇପାରିବ । ସେହିପରି ଅଙ୍ଗ ଜଳସେଚନ ପ୍ରକଳ୍ପ ଦ୍ୱାରା ପ୍ରାୟ ୩୦,୦୦୦ ହେକ୍ଟର, ଭୀମକୁଣ୍ଡ ବ୍ୟାରେଜ ପ୍ରକଳ୍ପ ଦ୍ୱାରା ୩୧,୮୩୫ ହେକ୍ଟର, କେନ୍ଦୁଝରର ଝାରପଡା ଜଳସେଚନ ପ୍ରକଳ୍ପ ଦ୍ୱାରା ୧୭,୫୦୦ ହେକ୍ଟର, ଓ କାନୁପୁର ଜଳସେଚନ ପ୍ରକଳ୍ପ ଦ୍ୱାରା ପ୍ରାୟ ୨୯,୫୭୮ ହେକ୍ଟର ଚାଷଜମିକୁ ଜଳସେଚନର ସୁବିଧା ଯୋଗାଇ ଦିଆ ଯାଇ ପାରିବ । ଏହି ୫ଟି ପ୍ରକଳ୍ପ ଦ୍ୱାରା ସମୁଦାୟ ୨,୧୫, ୧୯୨ ହେକ୍ଟର ଜମିରେ ଜଳସେଚନ ସୁବିଧା ମିଳିପାରିବ । ଏଥିପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ତୁରନ୍ତ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।