ନବୀନବାବୁଙ୍କ ଶାସନରେ ହଲାପଟା ହେଉଛନ୍ତି ଚିନିକଳ

ଆଖୁଚାଷୀଙ୍କ ଭବିଷ୍ୟତକୁ ଉନ୍ନତ କରିବା ପାଇଁ ସରକାରୀ ସ୍ତରରେ ଆରମ୍ଭ ହୋଇଥିବା ଉଦ୍ୟମ….

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିକାଶ ଶବ୍ଦଟି ଭାରି ଭଲ ଲାଗୁଛି । ଓଡ଼ିଶାର ବିକାଶ ତାଲିକାରୁ ଚିନି ଶିଳ୍ପକୁ ବାଦ ଦିଆଯିବା ଆଦୌ ଗ୍ରହଣୀୟ ନୁହେଁ । ଆଖୁଚାଷୀଙ୍କ ଭବିଷ୍ୟତକୁ ଉନ୍ନତ କରିବା ପାଇଁ ସରକାରୀ ସ୍ତରରେ ଆରମ୍ଭ ହୋଇଥିବା ଉଦ୍ୟମ ଏବେ ଚାଷୀ ଓ ଚିନିକଳର ତଳିଆ କର୍ମଚାରୀଙ୍କ ପାଇଁ ଅଭିଶାପ ପାଲଟିଛି । ଦୁର୍ନୀତି, ଦୁର୍ବଳ ପରିଚାଳନା ଓ ଆଇନଗତ ଝାମେଲା କାରଣରୁ ଆସିକା, ବରଗଡ଼, ବଲାଙ୍ଗୀର, ନୟାଗଡ଼ ଓ ବଡ଼ମ୍ବା ସମବାୟ ଚିନିକଳରେ ତାଲା ଝୁଲୁଛି ।

ସମବାୟ ବିଭାଗ ପକ୍ଷରୁ ସେଗୁଡ଼ିକର ଷ୍ଟାଟସ୍‌ ରିପୋର୍ଟ ଦାଖଲ କରାଯାଇଛି । ଉକ୍ତ ରିପୋର୍ଟ ଅନୁସାରେ ନୟାଗଡ଼ ଚିନିକଳରେ ଚାଷୀଙ୍କ ବାକିଆ ପାଉଣା ବାବଦକୁ ୫ କୋଟି ଟଙ୍କା ଅଟକି ରହିଛି । ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଚିନିକଳରେ ଏବେ ୧୩୦ ନିୟମିତ ଓ ୧୬୦ ଅସ୍ଥାୟୀ କର୍ମଚାରୀ କାମ କରୁଛନ୍ତି । ଆସିକା, ବଲାଙ୍ଗୀର, ବରଗଡ଼ରେ ଆଖୁକୁଣ୍ଡାରୁ ଇଥାନଲ ପ୍ରସ୍ତୁତ କାରଖାନା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ରାଜନୀତି ପଶାପାଲିର ଶିକାର ହୋଇ ଆସିକା ଚିନିକଳର ଋଣ ଭାର ୩୪୭୬ ଲକ୍ଷ ଟଙ୍କାରେ ପହଂଚିଛି । ଚିନିକଳକୁ ବଂଚାଇ ରଖିବା ପାଇଁ ୨୦୨୦ ଓ ୨୦୨୧ ମସିହାରେ ସରକାର ୧୫ କୋଟି ଟଙ୍କା ଦେଇଥିଲେ । ୨୦୨୨ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଆସିନା ଚିନିକଳର କ୍ଷତି ପରିମାଣ ୮ କୋଟି ୪୧ ଲକ୍ଷ ଟଙ୍କା । ଏବେ ପୁନେସ୍ଥିତ କମ୍ପାନୀ ସେଠାରେ ୧୬୨.୪୮ କୋଟି ଟଙ୍କାର ଇଥାନଲ କାରଖାନା ପ୍ରତିଷ୍ଠା କରିବାକୁ ଅଂଟା ଭିଡ଼ିଛି ।

ବରଗଡ଼ ଚିନିକଳର ଭବିଷ୍ୟତ ଏବେ ୧୦୩ କୋଟି ଟଙ୍କାର ଇଥାନଲ କାରଖାନା ସହିତ ଯୋଡ଼ି ହୋଇଯାଇଛି । ନୟାଗଡ଼, ବଲାଙ୍ଗୀର ଓ ବଡ଼ମ୍ବା ଚିନିକଳର ଭବିଷ୍ୟତ ମଧ୍ୟ ଲଟକି ରହିଛି । ୨୦୨୪ ନିର୍ବାଚନ ପୂର୍ବରୁ ରାଜ୍ୟର ଚିନିକଳ ଉଠିଆ ହେବାର ନାହିଁ । ନବୀନ ପଟ୍ଟନାୟକଙ୍କ ଦ୍ରୁତ ଶିଳ୍ପାୟନ ଅଭିଯାନ ଭିତରେ ରାଜ୍ୟର ଲକ୍ଷାଧିକ ଆଖୁଚାଷୀ ସେମାନଙ୍କ ଭବିଷ୍ୟତକୁ ଅଣ୍ଡାଳୁଛନ୍ତି ।