ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଶୁଭାରମ୍ଭ କଲେ ସିଏମ୍ ମୋହନ ମାଝୀ

ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅନ୍ତର୍ଗତ ଶିରିଡ଼ି ଓ ନାସିକ ପାଇଁ ତୀର୍ଥ ଯାତ୍ରା ଟ୍ରେନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆହୁରି ମଧ୍ୟ ଛଅଟି ଜିଲ୍ଲା ଯଥା- ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ଢେଙ୍କାନାଳର ୭୭୫ଜଣ ବରିଷ୍ଠ ନାଗରିକ ମହାରାଷ୍ଟ୍ରର ସିରିଡି ଓ ନାସିକ ଦର୍ଶନ ପାଇଁ ଯାତ୍ରା ଆରମ୍ଭ କରିଛନ୍ତି।

ସାଂସ୍କୃତିକ ପର୍ଯ୍ୟଟନକୁ ଅଗ୍ରାଧିକାର ସ୍ୱରୂପ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ମାଧ୍ୟମରେ ଚଳିତ ବର୍ଷ ୮୦୦୦ ବରିଷ୍ଠ ନାଗରିକମାନଙ୍କୁ ୧୦ଟି ପର୍ଯ୍ୟାୟରେ ଚଳିତ ବର୍ଷ ସିରିଡି, ନାସିକ, ଦକ୍ଷିଣେଶ୍ଵର କାଳୀ (କୋଲକାତା), କାମାକ୍ଷା, ଅଯୋଧ୍ୟା, ବାରଣାସୀ ଆଦି ତୀର୍ଥସ୍ଥାନ ଭ୍ରମଣ କରାଇବା ପାଇଁ  ପର୍ଯ୍ୟଟନ ବିଭାଗ ଦ୍ୱାରା ସମସ୍ତ ବ୍ୟବସ୍ଥା କରାଯାଇଛି ।

ରାଜ୍ୟରେ ଆର୍ଥିକ ଅନଗ୍ରସର ଓ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ୬୦ ରୁ ୭୫ ବର୍ଷ ବୟସ୍କ ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କର ଆଧ୍ୟାତ୍ମିକ ଆକାଂକ୍ଷା ପୂରଣ ନିମନ୍ତେ  ଜାତି ଧର୍ମ ନିର୍ବିଶେଷରେ ପର୍ଯ୍ୟଟନ ବିଭାଗ ଦ୍ୱାରା ଚୟନ କରାଯାଇଛି ।

ହିତାଧିକାରୀ ଚୟନ ନିମନ୍ତେ ଅନ୍ତ୍ୟୋଦୟ / ଅର୍ଣ୍ଣପୂର୍ଣ୍ଣ। କାର୍ଡ / ବିଧବା ଭତ୍ତା କାର୍ଡ / ଖାଦ୍ୟସୁରକ୍ଷା ରେସନ କାର୍ଡ / ମନରେଗା କାର୍ଡ ଇତ୍ୟାଦି  ମଧ୍ୟରୁ ଯେ କୌଣସି ଗୋଟିଏ ପ୍ରମାଣ ପତ୍ର ଭାବରେ ଦରଖାସ୍ତ ସହ ଦାଖଲ କରିବାକୁ ପଡିବ । ବରିଷ୍ଠ ନାଗରିକ ଦମ୍ପତ୍ତିଙ୍କ କ୍ଷେତ୍ରରେ ଯେକୌଣସି ଜଣେ ବ୍ୟକ୍ତି ୬୦ ରୁ ଉର୍ଦ୍ଧ୍ଵ ବୟସ୍କ ହେବା  ଆବଶ୍ୟକ।