ଭୁବନେଶ୍ୱର: ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ସକାଳ ଓ ରାତି ସମୟରେ ଘରୁ ବାହାରିବା କଷ୍ଟ ହୋଇ ପଡ଼ୁଛି। ଏହି ସମୟରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍. ଆର. ବିଶ୍ୱାସ ସୂଚନା ଦେଇଛନ୍ତି। ରାଜ୍ୟରେ ଆଜି କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି ଓ କନ୍ଧମାଳ।
ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଆହୁରି କହିଛନ୍ତି, ୭ଜିଲ୍ଲା ବ୍ୟତିତ ଅନ୍ୟ ଜିଲ୍ଲା ଗୁଡ଼ିକରେ ପାଗ ଶୁଖିଲା ରହିବ। ଆସନ୍ତାକାଲିଠୁ ୧୩ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ଏଥିସହ ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ବଢ଼ିପାରେ। ଫଳରେ ଶୀତ କମିଯିବାର ସମ୍ଭାବନା ରହିଛି। ଉତ୍ତରା ପବନ ପ୍ରଭାବରେ ରାଜ୍ୟରେ ଶୀତ ବଢ଼ିଥିଲା ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ କହିଛନ୍ତି।