ସମ୍ବିଧାନ ଓ ଗଣତନ୍ତ୍ରକୁ ମହାବିପଦ ସାଂପ୍ରଦାୟିକତା

ବିଶିଷ୍ଟ ସମାଜବାଦୀ ଚିନ୍ତା ନାୟକ, ସ୍ୱଚ୍ଛ ରାଜନୀତିର ….

ଭୁବନେଶ୍ୱର: ବିଶିଷ୍ଟ ସମାଜବାଦୀ ଚିନ୍ତା ନାୟକ, ସ୍ୱଚ୍ଛ ରାଜନୀତିର ପ୍ରବକ୍ତା ଲୋକସଭାର ପୂର୍ବତନ ବାଚସ୍ପତି ସ୍ୱର୍ଗତଃ ରବି ରାୟଙ୍କ ଜନ୍ମ ଶତବାର୍ଷିକୀ କୋଲକାତାର ଐତିହ୍ୟ ବାହି ଭାରତ ସଭା ପ୍ରେକ୍ଷାଳୟରେ ରବିବାର ସଂଧ୍ୟାରେ ମହା ସମାରୋହରେ ଅନୁଷ୍ଠିତ ହୋଇଛି। ଉତ୍କଳ ବିକାଶ ଯୁବ ପରିଷଦ ଓ ଓଡ଼ିଶା ପଶ୍ଚିମବଙ୍ଗ ମୈତ୍ରୀ ଯୁବ ପରିଷଦର ମିଳିତ ଉଦ୍ୟମରେ ପରିଷଦ ଉପଦେଷ୍ଟା ଦେବୀପ୍ରସାଦ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସମାଜବାଦୀ ନେତା କିରନ୍ମମୟ ନନ୍ଦ, ଚିକିତ୍ସକ ସଂଘ ସଭାପତି ଡାକ୍ତର ସୁବର୍ଣ୍ଣ ଗୋସ୍ୱାମୀ, ଚାଟାର୍ଡ ଆକାଉଂଟାଂଟ୍‌ ସନାତନ ବଣିକ ମହାବୋଧି ସୋସାଇଟିର ବୌଦ୍ଧଭିକ୍ଷୁ, ଓଡ଼ିଆ ସଂଗଠନର ଗଜେନ୍ଦ୍ର ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ମୂଖ୍ୟ ଅତିଥି କିରଣମୟ ନନ୍ଦ ରବି ରାୟଙ୍କୁ ସମ୍ବିଧାନ ଓ ଗଣତନ୍ତ୍ର ରକ୍ଷା ଆନ୍ଦୋଳନର ଅବିସ୍ମରଣୀୟ ନେତା ଭାବେ ଅଭିହିତ କରିଥଲେ। ଆଜି ଯେତେବେଳେ କର୍ପୋରେଟ ଅର୍ଥ ରାଜନୀତିକୁ ଓ ରାଜନୀତିକ ଦଳ ମାନଙ୍କୁ କବଳିତ କରିବାକୁ ଚକ୍ରାନ୍ତ କରୁଛି ସେତେବେଳେ ନବେ ଦଶକରେ ରବି ରାୟ ତା ବିରୁଦ୍ଧରେ ଜନମତ ସୃଷ୍ଟି ପାଇଁ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଅଶିକୋଟି ଲୋକଙ୍କୁ ମାଗଣା ଚାଉଳ ଅଟା ଯୋଗାଇ ବାହା ବାହା ନେଉଥିବା ପ୍ରଧାନମନ୍ତ୍ରୀ ପରୋକ୍ଷରେ ଉତ୍କଟ ଦାରିଦ୍ର୍ୟ ଓ ଅନାହାରକୁ ସ୍ୱୀକାର କରୁଛନ୍ତି ବୋଲି କହିଥିଲେ। ୫୦ ଦଶକରେ ଆଜାଦି ଝୁଟି ହେ ଜନତା ଭୁଖୀ ହେ ରାଜ୍ୟପାଳ ଆସଫ ଅଲ୍ଲୀଙ୍କ ଆଗରେ ରବି ରାୟଙ୍କ ପ୍ରତିବାଦ ଭାଷା ଆଜି ବି ପ୍ରମାଣିତ ହେଉଚି ବୋଲି କ୍ଷୋଭର ସହ କହିଥିଲେ। ହାତଗଣତି ପଇସାବାଲାଙ୍କ ବ୍ୟବସାୟିକ ଲାଭ ଓ ବିକାଶକୁ ଦେଶର ଅଗଣିତ ସାଧାରଣ ଲୋକଙ୍କର ବିକାଶ କୁହାଯିବା ରବି ରାୟଙ୍କ ବିଚାରର ବିରୋଧୀ ବୋଲି ପ୍ରକାଶ କରିଥିଲେ।

ଗଣତାନ୍ତ୍ରିକ ରାଷ୍ଟ୍ରରେ ଏକନାୟକତ୍ୱ ବିରାଟ ବିପଦ ବୋଲି କହିଥିଲେ। ରାଜନୀତିକ ମତଭେଦ ସତ୍ୱେ ବିଜେପି ନେତାଙ୍କ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନ. ଜର୍ଜ୍‌ ଫର୍ଣ୍ଣାଣ୍ଡେଜ୍‌, ଚନ୍ଦ୍ରଶେଖର କଂଗ୍ରେସ ନେତା ରାଜୀବ ଗାନ୍ଧୀ ରବି ରାୟଙ୍କୁ ଗଭୀର ସମ୍ମାନ କରୁଥିଲେ। ଏପରିକି ୧୯୯୬ ରେ ପ୍ରଧାନମନ୍ତ୍ରୀ ପଦ ପାଇଁ ତାଙ୍କ ନାମ ଉଠିଥିଲେ ବି ନିର୍ବାଚନ ରାଜନୀତିରୁ ସ୍ୱେଚ୍ଛାରେ ସନ୍ନ୍ୟାସ ନେଇଥିବାରୁ ସେ ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରିଥିଲେ। ସମାଜର ତଳସ୍ତରରେ ମଣିଷଙ୍କ କଲ୍ୟାଣ ପାଇଁ ସମାଜବାଦୀ ନେତା ଡାକ୍ତର ରାମ ମନୋହର ଲୋହିଆ ଓ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଶିଷ୍ୟ ରବି ବାବୁଙ୍କ ଭଳି ଯୁବ ଛାତ୍ର ସମାଜ ସଂଗ୍ରାମ କରିବାକୁ ଆହ୍ୱାନ ଦେଇଥିଲେ। ମୁଖ୍ୟବକ୍ତା ଡାକ୍ତର ସୁବର୍ଣ୍ଣ ଗୋସ୍ୱାମୀ ଚିକିତ୍ସକ ରୋଗୀର ଧର୍ମ ଜାତି ଦେଖି ଚିକିତ୍ସା କରି ନଥାଏ କିମ୍ବା ରୋଗୀ ଡାକ୍ତରଙ୍କ ଧର୍ମ ଦେଖି ଚିକିତ୍ସା ପାଇଁ ଯାଇ ନ ଥାଏ ବୋଲି କହିଥିଲେ। ଜୀବନ ରକ୍ଷାକାରୀ ରକ୍ତ, କିଡନୀ, ଚକ୍ଷୁ, ଲିଭର ଦାତା ଓ ଗ୍ରହୀତା କେହି ଜାତି ଧର୍ମକୁ ଗ୍ରହଣ କରି ନଥିବା ବେଳେ ଆଜି ଭାରତୀୟ ସମାଜକୁ ଭୋଟ ପାଇଁ ବାଂଟିବାର ଚକ୍ରାନ୍ତ ରବି ରାୟଙ୍କ ଆଦର୍ଶର ପରିପନ୍ଥୀ ବୋଲି କହିଥିଲେ। ଶିକ୍ଷକ ବ୍ୟବସାୟୀ ଖେଳାଳୀ ଆଇନଜୀବି ଶିଳ୍ପୀ ଚାଷୀଙ୍କ ପାଇଁ ଧର୍ମ ନିଜସ୍ୱ ବ୍ୟାପାର ହୋଇଥିବା ବେଳେ ମୁଷ୍ଟିମେୟ ରାଜନେତା ଏହାକୁ ନେଇ ଜନତାଙ୍କ ମଧ୍ୟରେ ହିଂସା ଭିଆଇବା ଦେଶ ପାଇଁ ଶୁଭଙ୍କର ନୁହେଁ। ଶ୍ରମଜୀବୀ ମଣିଷ ଓ ମେଧାବୀ ଗରିବ ଛାତ୍ରଛାତ୍ରୀ ଖୁବ୍‌ କଷ୍ଟରେ ଚଳୁଥିବା ବେଳେ ଧନୀ ଲୋକ ପ୍ରାଚୁର୍ଯ୍ୟର ନଗ୍ନ ପ୍ରଦର୍ଶନ କଣ ପାଇଁ ବୋଲି ପ୍ରଶ୍ନ କରିଥିଲେ। ବ୍ୟକ୍ତିଗତ ବନ୍ଧୁତା ରବି ରାୟଙ୍କ ସାଧୁତା ନିରପେକ୍ଷତାକୁ କଳୁଷିତ କରିପାରି ନଥିଲା। ଦଳବଦଳ ନିୟମରେ ଘନିଷ୍ଠବନ୍ଧୁ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ସହଯୋଗୀ ସାଂସଦଙ୍କର ସଭ୍ୟପଦ ରଦ୍ଦ କରିଥିଲେ। ସେହିଭଳି ଜଣେ ସୁପ୍ରିମକୋର୍ଟ ବିଚାରପତିଙ୍କ ବିରୁଦ୍ଧରେ ମହା ଅଭିଯୋଗ ପ୍ରସ୍ତାବକୁ ଲୋକସଭାରେ ଆଗତ କରିବାକୁ ସୁଯୋଗ ଦେଇ ଉଦାହରଣ ସୃଷ୍ଟି କରିଥିଲେ।
ସଭାପତି ଶ୍ରୀ ପୃଷ୍ଟି ନିଜ ଭାଷଣରେ ରବି ରାୟ ବାଚସ୍ପତି ଥିବାବେଳେ ବିରୋଧୀ ଦଳଙ୍କୁ ନ୍ୟାଯ୍ୟ ସମୟ ପ୍ରଦାନ କରି ଶାସକ ଦଳର ସରବ୍ୟ ହୋଇଥିଲେ ଏପରିକି ଗଣମାଧ୍ୟମରେ ବିରୋଧୀଙ୍କ ବାଚସ୍ପତି ଖବର ପ୍ରକାଶ ପାଇଥିଲା। ଉତରରେ ଗଣତନ୍ତ୍ର ରକ୍ଷା ପାଇଁ ଶାସକ ଅପେକ୍ଷା ବିରୋଧୀ ଦଳର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ। ଆଜି ଯେତେବେଳେ ଆଦିବାସୀ ଦଳିତ ମହିଳା ସଂଖ୍ୟାଲଘୁ ପଛୁଆ ବର୍ଗ ଲୋକେ ଅତ୍ୟାଚାରର ଶିକାର ହେଉଛନ୍ତି, ସେତେବେଳେ ରବି ରାୟଙ୍କ ଭଳି ସାମାଜିକ ଆର୍ଥିକ ନ୍ୟାୟ ଆନ୍ଦୋଳନର ନେତାଙ୍କ ବହୁତ ଆବଶ୍ୟକତା ରହିଛି।

.ସମ୍ମାନିତ ଅତିଥି ସନାତନ ବଣିକ ଏକ ଅଖ୍ୟାତ ଗ୍ରାମରୁ ଆସି ରବି ରାୟ ଜାତୀୟ ସ୍ତରରେ ନେତୃତ୍ୱ ପ୍ରତିଷ୍ଠା କରିବା ତାଙ୍କ ଅଙ୍ଗୀକାର ବଦ୍ଧତା ଓ ନିଷ୍ଠାର ଉଦାହରଣ ବୋଲି କହିଥିଲେ।