କମ୍ପିଲା ରାଜଧାନୀ: ବାୟୁସେନା ପାଇଲଟ୍ଙ୍କୁ ସଲାମ
ଏୟାର ଶୋ’କୁ ଯିବା ଉଚିତ୍ ଭାବିଲେନି ମୁଖ୍ୟମନ୍ତ୍ରୀ
ବାପାର କୌଣସି ଗୁଣ ପୁଅ ପାଖରେ ନାହିଁ: ଏଜେଡି…..
ଭୁବନେଶ୍ୱର: ଶୁକ୍ରବାର କୁଆଖାଇ ବାଲିପଠାରେ ବାୟୁସେନା ଦେଖାଇଛି ବିମାନର କୁହୁକ ଖେଳ । ବାୟୁସେନାର ସ୍ୱତନ୍ତ୍ର ଟିମ୍ ‘ସୂର୍ଯ୍ୟକିରଣ’ ଅନ୍ତର୍ଗତ ଦକ୍ଷ ପାଇଲଟ୍ମାନେ ଆକାଶରେ ଘର୍ଘର ନାଦରେ ବିମାନ ଉଡ଼ାଇ ଚାଲି ଯାଉଥିଲା ବେଳେ କୁଆଖାଇ ପଠାରେ ଉପସ୍ଥିତ ଦେଖଣାହାରୀ ଅପଲକ ନେତ୍ରରେ ତାହାକୁ ଉପଭୋଗ କରିଥିଲେ । କୁଆଖାଇର ଦୁଇକୂଳରେ ଗଢ଼ି ଉଠିଥିବା ଗ୍ରାମର ଲୋକମାନେ ସେମାନଙ୍କ କୋଠାଛାତରୁ ‘ସୂର୍ଯ୍ୟକିରଣ’ ଟିମର ବୈମାନିକ କୌଶଳକୁ ଦେଖିଥିଲେ ।
ପୂର୍ବାହ୍ନ ୧୦ଟାରେ ରାଜଧାନୀ ଆକାଶରେ ବାୟୁସେନାର ୯ଟି ହକ୍ ବିମାନକୁ ଉଡ଼ାଇଥିଲେ ୯ ଜଣ ଅଭିଜ୍ଞ ପାଇଲଟ୍ । ଏଭଳି ଶୋ’ର ଆୟୋଜନ ପଛରେ ରହିଛି ଭାରତୀୟ ଯୁବଶକ୍ତିକୁ ବାୟୁସେନା ଆଡ଼କୁ ଟାଣିନେବା । ବାୟୁସେନାରେ ଯୋଗଦେଇ ଦେଶମାତୃକାର ସେବା ଓ ଗୌରବମୟ ପରିଚୟ ସୃଷ୍ଟି କରିବା ଆଜିର ଯୁବସମାଜର ଏକମାତ୍ର ଧ୍ୟେୟ ହେଉ । କେବଳ ବାୟୁସେନା ନୁହେଁ, ସ୍ଥଳସେନା ଓ ନୌସେନାରେ ସାମିଲ ହେଉଥିବା ଯୁବକ ଯୁବତୀମାନଙ୍କ ପାଇଁ ଉଜ୍ଜ୍ୱଳ ଭବିଷ୍ୟତ ରହିଛି ।
ଆଜିର କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିବାର ଥିଲା । ମାତ୍ର କୌଣସି କାରଣରୁ ସେ ଆସିଲେ ନାହିଁ । ଏହାର ଏକ ପରୋକ୍ଷ ପ୍ରଭାବ ଲୋକମାନଙ୍କ ମନରେ ଦେଖିବାକୁ ମିଳିଥିଲା । ଭାରତର ପ୍ରତିରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ତିନିଟି ବିଭାଗ ଭିତରୁ ବାୟୁସେନା ପ୍ରତି ମୁଖ୍ୟମନ୍ତ୍ରୀଙ୍କର ଆନ୍ତରିକତା ନଥିବାରୁ ସେ ଆସିଲେ ନାହିଁ ବୋଲି ଅନେକଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା । କେହିକେହି କହୁଥିଲେ, ବାପା ବିଜୁ ପଟ୍ଟନାୟକ ପିଲାଦିନେ ବିମାନ ପାଖରେ ପହଂଚି ବିଦେଶୀ ସେନା ହାତରୁ ମାଡ଼ ଖାଇଥିଲେ । ବିମାନର ଉଡ଼ାଇବାର ଜିଦ୍ ତାଙ୍କୁ ଜଣେ ଦକ୍ଷ ପାଇଲଟ୍ ବନାଇଥିଲା । ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କୁ ବିଦ୍ରୋହୀ ସାମରିକ ଶାସକଙ୍କ କବଳରୁ କୌଶଳର ସହ ଉଦ୍ଧାର କରି ସେ ଇଣ୍ଡୋନେସିଆର ଭୂମିପୁତ୍ର ସମ୍ମାନ ଲାଭ କରିଥିଲେ ।
ମାତ୍ର ପୁଅ ନବୀନ ପଟ୍ଟନାୟକଙ୍କ ମନରେ ବାୟୁସେନା ପ୍ରତି ସାମାନ୍ୟ ଅନୁରାଗ ନାହିଁ । ଆମେ ଭାବୁଥିଲୁ, ବାପାର କୌଣସି ଗୁଣ ପୁଅ ପାଖରେ ନାହିଁ । ଆଜିର ଏୟାର ଶୋ’ ଦେଖିବା ପାଇଁ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା । ଲୋକଙ୍କ ଚଳପ୍ରଚଳରେ ବ୍ୟାପକ ଅସୁବିଧା ଦେଖିବାକୁ ମିଳିଥିଲା । ଗାଡ଼ିମଟର ଓ ବାଇକ୍ ରଖିବା ଦିଗରେ ବହୁ ସମସ୍ୟା ସୃଷ୍ଟି ହେବାରୁ ବହୁଲୋକ ଚିତାକର୍ଷକ ଶୋ’ ଦେଖି ନପାରି ଫେରି ଯାଇଥିଲେ । ପୁଲିସ ଓ ଓଡ୍ରାଫ୍ ଟିମକୁ ମୁତୟନ କରାଯାଇଥିଲା । କୁଆଖାଇର ଉଭୟ କୂଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିଲା । ସୂଚନାଯୋଗ୍ୟ, ୧୯୮୨ରେ ବାୟୁସେନାର ସୁବର୍ଣ୍ଣ ଜୟନ୍ତ୍ରୀ ଅବସରରେ ଗଠନ କରାଯାଇଥିଲା ‘ଥଣ୍ଡରବୋଲ୍ଟ’ । ପରେ ତା’ର ନାମ ବଦଳାଇ ‘ସୂର୍ଯ୍ୟକିରଣ’ ରଖାଯାଇଥିଲା ।