ତୈଳ ଦରବୃଦ୍ଧି ପ୍ରସଙ୍ଗରେ ରାଜଧାନୀର ସମସ୍ତ ପେଟ୍ରୋଲ ଟାଙ୍କି ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ

ଭୁବନେଶ୍ୱର,(ଏସ୍ ନ୍ୟୁଜ),ତା ୧୦.୬:- ବର୍ତମାନ କରୋନା ମହାମାରୀ ସମୟରେ ଜନସାଧାରଣ ଜୀବିକା ହରାଇ ଜୀବନ ସହିତ ସଂଘର୍ଷ କରୁଛନ୍ତି । ଏହି ସମୟରେ ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ଏବଂ ରନ୍ଧନଗ୍ୟାସର ଦରବୃଦ୍ଧି ଫଳରେ ଅତ୍ୟାବଶକୀୟ ସାମଗ୍ରୀର ଦରବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ବେଢ଼ି ଉପରେ କରୋଡା ସଦୃଶ । କଂଗ୍ରେସ ଦଳ ସଦାସର୍ବଦା ଜନହିତ ପାଇଁ କାର୍ଯ୍ୟକରୁଛି । ଏଆଇସିସିର ନିଷ୍ପତି ଏବଂ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ଏହି ତୈଳ ଦରବୃଦ୍ଧିର ପ୍ରତ୍ୟାହାର ଦାବିରେ ଆସନ୍ତା କାଲି ସାରା ରାଜ୍ୟରେ ସକାଳ ୭ ଘଟିକା ଠାରୁ ୧୧ ଘଟିକା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ସମସ୍ତ ପେଟ୍ରୋଲ ଟାଙ୍କି ଆଗରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏହି ଅବସରରେ ରାଜଧାନୀରେ ସମସ୍ତ ପେଟ୍ରୋଲ ଟାଙ୍କି ଆଗରେ ବିଶେଷ କରି ୟୁନିଟ-୨ ମାର୍କେଟ ବିଲିଂଡି ପାଖ, ରାମମନ୍ଦିର , କଳ୍ପନା,ବାଣୀବିହାର,ରସୁଲଗଡ଼, ନଖରା, ସାମନ୍ତରାପୁର ,ରବିଟକିଜ, ଚନ୍ଦ୍ରଶେଖରପୁର, ପଟିଆ, ସିଆରପି, ଆଇଗିଣିଆ, ୟୁନିଟ-୮ ଡେଲଟା ଛକ ପାଖ ଏବଂ କଳିଙ୍ଗଷ୍ଟାଡିମ ଛକ ପାଖ ପେଟ୍ରୋଲ ପମ୍ପ ସମ୍ମୁଖରେ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଓ ୧୦ଜଣ ବ୍ଲକ ସଭାପତିଙ୍କ ନେତୃତ୍ୱରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ପ୍ରଦାନ କରିଛନ୍ତି । ଏଥିରେ ବୁଦ୍ଧିଜୀବି, ଛାତ୍ର, ମହିଳା, ଯୁବ, ସାମାଜିକ ଅନୁଷ୍ଠାନ ବ୍ୟବସାୟୀ ଏବଂ ସାଧାରଣ ଜନତା ସହଯୋଗ କରିବାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି ।