ଓପିଟିସିଏଲରେ ମହାଦୁର୍ନୀତି: କୋଟି କୋଟି ବିପୁଳ ଟଙ୍କାର ଦୁର୍ନୀତିରେ ଥିବା ବଡ ମାଛଙ୍କୁ ଧରାଯିବା ଜରୁରୀ !

ଟେଣ୍ଡର ହେରଫେରରେ କୋଟି କୋଟିର ଖେଳ, ନିୟମକୁ ଫୁ କରି ସରକାରୀ ଟଙ୍କା ହଡପର ଭୟଙ୍କର ଷଡଯନ୍ତ୍ର..

ଭୁବନେଶ୍ୱର : ଓପିଟିସିଏଲ ଟେଣ୍ଡରରେ ବିରାଟ ଅନିୟମିତତା । ବିପୁଳ ଟଙ୍କାର ଦୁର୍ନୀତି ନେଇ ସାଂଘାତିକ ଷଡଯନ୍ତ୍ର । ରାଜ୍ୟରେ ବିଦ୍ୟୁତ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ଓ ବିକଶିତ କରିବାର ଦାୟିତ୍ୱର ଅଧିକାରୀ ଓଡ଼ିଶା ପାଓ୍ୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ୍, ଓପିଟିସିଏଲର ଏକ ଟେଣ୍ଡର ପ୍ରକ୍ରିୟା ନେଇ ଉଠିଛି ପ୍ରଶ୍ନ । ନିୟମ ବାହାରକୁ ଯାଇ ଆଇନ ବିଶେଷଜ୍ଞଙ୍କ ପରାମର୍ଶକୁ ଏଡାଇ ଅଧିକ ଟଙ୍କାରେ ଏକ ବଡ ଟେଣ୍ଡର ଏକ ନିର୍ଦ୍ଦିଷ୍ଟ କମ୍ପାନୀକୁ ଦେବାକୁ ହୋଇଛି ବାଟ ।
ସରକାରଙ୍କ ୯ କୋଟିରୁ ଅଧିକ ଟଙ୍କା ହରିଲୁଟ୍‌ ହେବ । ଟେଣ୍ଡର ଦୁର୍ନୀତି ପଛରେ ନିର୍ଦ୍ଧିଷ୍ଟ ଅଧିକାରୀଙ୍କ ପ୍ରଛନ୍ନ ହାତ ସନ୍ଦେହ । କଳାକୁ ଧଳାକରି ସରକାରୀ ଟଙ୍କା ଲୁଟିବାର ସାଂଘାତିକ ଷଡଯନ୍ତ୍ର । ପାରାଦୀପ ଶିଳ୍ପାଞ୍ଚଳ ପାଇଁ ଅତି ଗୁରୁତ୍ୱ ରଖୁଥିବା ଏରସମାର ୨x୫୦୦ ଏମଭି, ୪୦୦/୨୨୦ କେଭି ଜିଆଇଏସ ସବଷ୍ଟେସନ ନିର୍ମାଣ ଟେଣ୍ଡରରେ ଏହି ମହାଦୁର୍ନୀତିର ଗନ୍ଧ । ପୂର୍ବ ଭାରତର ଗୁରୁତ୍ୱପୂର୍ଣ୍ଣ ଶିଳ୍ପାଞ୍ଚଳ ହେବାକୁ ଯାଉଥିବା ପାରାଦୀପର ବିକାଶ ତଥା ଶକ୍ତି ଚାହିଦା ପାଇଁ ଓପିଟିସିଏଲର ଏହି ପ୍ରକଳ୍ପ ବହୁ ଗୁରୁତ୍ତ୍ୱ ରଖେ । ସରକାରୀ ଯୋଜନା ଅନୁଯାୟୀ ୨୦୨୩ରେ ସଂପୂର୍ଣ୍ଣ ହେବାକୁ ଥିବା ଏହି ବିଦ୍ୟୁତ ଭିତ୍ତିଭୂମି ପ୍ରକଳ୍ପରୁ ପାରଦୀପ ଓ ତାର ଉପକଣ୍ଠରେ ଅବସ୍ଥିତ ଜେଏସଡବ୍ଲୁ, ତ୍ରିବେଣୀ, ପେଟ୍ରୋକେମିକାଲ୍ସ ଆଦି ବୃହତ୍ତ ଶିଳ୍ପ ବିଦ୍ୟୁତ ଶକ୍ତି ନେବେ । ତେଣୁ ପାରାଦୀପ ଶିଳ୍ପାଞ୍ଚଳରେ ଶକ୍ତି ଚାହିଦା ପୂରଣ କରିବ ଏହି ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ ସବଷ୍ଟେସନ ।

୨୦୨୧ ମାର୍ଚ୍ଚ ମାସରେ ରାଜ୍ୟର ଶକ୍ତି ଚାହିଦା ପୂରଣ ପାଇଁ ଓପିଟିସିଏଲର ତିନୋଟି ପ୍ୟାକେଜ ବିଶିଷ୍ଟ ପ୍ରାୟ ୬୦୦ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରିଥିଲେ । ସେଗୁଡିକ ହେଲା ନୂଆ ଡୁବୁରୀରେ ୪୦୦ କେଭି ବେ ଏକ୍ସଟେନସନ ଓ୍ୱାର୍କ, ପ୍ରତାପ ଶାସନ ଓ ନୂଆ ଡୁବୁରୀରେ ୨୨୦ କେଭି ଗ୍ରୀଡ ସବ ଷ୍ଟେସନ ଦୁଇଟି ଲାଇନ ଏବଂ ଏରସମାର ୨x୫୦୦ ଏମଭିଏ, ୪୦୦x୨୦୦ କେଭି ଜିଆଇଏସ ସବଷ୍ଟେସନ । ପୃଥକ ପୃଥକ ଭାବେ ଆହ୍ବାନ ଟେଣ୍ଡରରେ ପ୍ରଥମ ଦୁଇଟି ନିୟମନୁଯାୟୀ ଏଲ ଓ୍ୱାନ ଟେଣ୍ଡର ଆବେଦନକାରୀଙ୍କୁ ଦିଆଯାଇଥିବାବେଲେ ଏରସମା ସବଷ୍ଟେସନ କାମରେ ଦୁର୍ନୀତିର ଷଡଯନ୍ତ୍ର ଏବେ ପଦାକୁ ଆସିଛି ।

ଏରସମାରେ ୪୦୦ କେଭି ଜିଆଇଏସ ସବଷ୍ଟେସନ ପାଇଁ ଟେଣ୍ଡରରେ ପ୍ରଥମେ ୮ ଜଣ ବିଡର ବା ଟେଣ୍ଡର ଆବେଦନକାରୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ମେସର୍ସ ଭେଲ(BHEL) ଏବଂ ମେସର୍ସ ଟିବିଇଏ ଟେକ୍ନୋ କମର୍ସିଆଲ ଜନିତ କାରଣରୁ ଅଯୋଗ୍ୟ ହୋଇଥିଲେ । ଟେଣ୍ଡରରେ ଯୋଗ୍ୟତା ମାନଦଣ୍ଡ ମୁତାବକ ଯଥାର୍ଥ କାଗଜାତ ଦାଖଲ କରିନଥିବା କାରଣରୁ BHELର ଟେଣ୍ଡରକୁ ନାକଚ କରିଥିଲେ ଓପିଟିସିଏଲ ସିପିସି ଏବଂ ସେହି କାରଣରୁ BHELର ପ୍ରାଇସ୍ ବିଡ୍ ମଧ୍ୟ ଖୋଲାଯାଇନଥିଲା । ଏଥିନେଇ ଭେଲ ପକ୍ଷରୁ ଓପିଟିସିଏଲ ପକ୍ଷରୁ ଟେଣ୍ଡର ନାକଚର କାରଣ ତଲବ କରାଯିବାରୁ ଓପିଟିସିଏଲର ଆଇନ ପରାମର୍ଶଦାତା ତାଙ୍କ ରିପୋର୍ଟରେ ଭେଲ୍‌ର ଆବେଦନର ତ୍ରୁଟି ଦର୍ଶାଇବା ସହ ଯେ, BHEL ଟେଣ୍ଡର ଆବେଦନ ଅଗ୍ରାହ୍ୟ ସଂପର୍କରେ ଓପିଟିସିଏଲ୍ ସିପିସି ନେଇଥିବା ନିଷ୍ପତ୍ତି ଯଥାର୍ଥ ବୋଲି ଦର୍ଶାଇଥିଲେ ।

ଓପିଟିସିଏଲ୍ ଆଇନ ପରାମର୍ଶଦାତାଙ୍କ ନିଷ୍ପତ୍ତିରେ OPTCL ପକ୍ଷରୁ ଟେଣ୍ଡର ଆବେଦନକାରୀଙ୍କ ପ୍ରାଇସ ବିଡ୍ ଖୋଲାଯାଇଥିଲା । ସେହି ପ୍ରକ୍ରିୟାରେ ମେସର୍ସ ସିମେନ୍ସ-ଏକେ ଡିଏଏଲ୍ ଯୌଥ ଆବେଦନକାରୀଙ୍କ ପ୍ରାଇସ ବିଡ୍ ସବୁଠୁ କମ୍ ଥିବା ଦର୍ଶାଯାଇଥିଲା । ଏରସମା ସବଷ୍ଟେସନ ପାଇଁ OPTCL ଆନୁମାନିକ ଅଟକଳ ୨୧୫ କୋଟି ଥିବାବେଳେ ମେସର୍ସ ସିମେନ୍ସ- ଏକେଡିଏଏଲ୍ ସେଥିପାଇଁ ୭% କମ୍ ଅର୍ଥାତ୍ ୨୦୦.୬୩ କୋଟି ଟଙ୍କାର ଟେଣ୍ଡର ମୂଲ୍ୟ ପ୍ରସ୍ତାବ ଦେଇଥିଲେ ।

କିନ୍ତୁ ଆଶ୍ଚର୍ଯ୍ୟର କଥା ନିମ୍ନ ପ୍ରାଇସ ବିଡ୍, ଆଇନ ପରାମର୍ଶଦାତାଙ୍କୁ ପରାମର୍ଶ ଓ ସାଧାରଣ ନିୟମକୁ ଏହି ପ୍ରକ୍ରିୟାରେ ଏଡାଇଦିଆଗଲା । ଏରସମା ସବଷ୍ଟେସନ ପାଇଁ ଆହୁରି କମ୍ ମୂଲ୍ୟ ବା ପ୍ରାଇସ୍‌ ବିଡ୍‌ରେ ଟେଣ୍ଡର ଆବେଦନ ମିଳିବ ବୋଲି OPTCL ବୋର୍ଡ ନିଷ୍ପତ୍ତି କରିଥିଲେ । ବୋର୍ଡ ବୈଠକରେ ଟେଣ୍ଡରକୁ ନାକଚ କରି ପୁନଃ ଟେଣ୍ଡର ଆବେଦନ ଆହ୍ୱାନ ନିଷ୍ପତ୍ତି ନିଆଯାଇଥିଲା । ଫଳରେ ପ୍ୟାକେଜ ୩ ପାଇଁ ଆଉଥରେ ଟେଣ୍ଡର ହେଲା । ସେଥିରେ ସେହି ପ୍ୟାକେଜର ସଂଶୋଧିତ ଆନୁମାନିକ ଅଟକଳର ମୂଲ୍ୟ ୨୦୦.୩୧ କୋଟି ଧାର୍ଯ୍ୟ ହେଲା । ପୁନଃ ଟେଣ୍ଡରରେ ୩ ବିଡରଙ୍କ ମଧ୍ୟରେ ପୂର୍ବରୁ ଅଯୋଗ୍ୟ BHEL ମଧ୍ୟ ଜଣେ ବିଡର ଥିଲେ । ସେ ସଂପୃକ୍ତ କାମ ପାଇଁ ୨୦୯.୮୨ କୋଟି ଟଙ୍କା ପ୍ରାଇସ୍ ବିଡ୍ ଦେଇ ଏଲ ଓ୍ୱାନ୍ ହେଲେ । ଯାହାକି OPTCLର ଆନୁମାନିକ ଆକଳନ ମୂଲ୍ୟଠାରୁ ୫% ଅଧିକ ଏବ ପୂର୍ବ ଟେମ୍ଡର ପ୍ରକ୍ରିୟାର ଏଲ ଓ୍ୱାନ୍ ୨୦୦.୬୩ କୋଟି ଟଙ୍କାଠାରୁ ପ୍ରାୟ ୯ କୋଟି ଟଙ୍କା ଅଧିକ । ଏବେ OPTCL ପୁନଃ ଟେଣ୍ଡରର ଏଲ ଓ୍ୱାନ୍ ଭିତ୍ତିରେ BHEL ସପକ୍ଷରେ ଥିବାବେଲେ ଏଥିରେ ୯ କୋଟିର ଷଡଯନ୍ତ୍ର ସ୍ପଷ୍ଟ । ଯାହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଜରୁରୀ । କେଉଁ ଭିତ୍ତିରେ ପୁନଃ ଟେଣ୍ଡର କରାଯାଇ ୫% ଅଧିକ ମୂଲ୍ୟରେ ଟେଣ୍ଡର ଫଇସଲା ନିଷ୍ପତ୍ତି ହେଲା ? OPTCLରେ ରାଜ୍ୟ ସରକାରଙ୍କ ଅଂଶଧନ ରହିଛି । ତେଣୁ ଟେଣ୍ଡରରେ ଅଧିକ ୯ କୋଟି ଟଙ୍କା ନେବାକୁ OPTCLର ନିଷ୍ପତ୍ତିରେ ରାଜ୍ୟ ବି ଆର୍ଥିତ କ୍ଷତି ସହିବ ।

ବିକାଶରେ ବିଦ୍ୟୁତ ଶକ୍ତିର ପ୍ରମୁଖ ଅଂଶୀଦାରିର ଆଳରେ ଏହି ଟେଣ୍ଡର ଦୁର୍ନୀତି ପଛରେ ଏକ ବଡ ଷଡଯନ୍ତ୍ର କରିଛି । ବଡ଼ ଅଧିକାରୀଙ୍କ ପ୍ରମୁଖ ଭୂମିକା ଜଳଜଳ ଦିଶୁଛି । ତେଣୁ ସ୍ୱଚ୍ଛତା ଓ ସୁଶାସନ ଦେଇ ଆସୁଥିବା ଲୋକପ୍ରିୟ ରାଜ୍ୟ ସରକାର ଏମିତି କଳଙ୍କ ପ୍ରତି ସତର୍କ ରହିବା ଜରୁରୀ । OPTCLରେ ଏହି ଦୁର୍ନୀତିର ଯାଞ୍ଚ ହେବା ଦରକାର । OPTCLରେ ରାଜ୍ୟ ସରକାରଙ୍କ 5-T ନୀତି ଲାଗୁ ସହ ଟେକନିକାଲ କାରଣ ଦର୍ଶାଇ ଭୂଆଁ ବୁଲାଇ କୋଟି କୋଟିର ଏହି ଦୁର୍ନୀତି ପଛର ଖଳନାୟକଙ୍କ ମୁଖା ଖୋଲାଯିବା ଦରକାର । କେଇ ଶହ ବା ହଜାର ଟଙ୍କା ଲାଞ୍ଚ ଘଟଣାରେ ହଟଚମଟ ହେଉଛି । ଏଠାରେ କୋଟି କୋଟି ଟଙ୍କା ଦୁର୍ନୀତିରେ ଥିବା ବଡ ମାଛଙ୍କୁ ଧରାଯିବା ଜରୁରୀ । ସୁପ୍ରିମକୋର୍ଟ ନିକଟରେ ଏକ ରାୟରେ ବିଭିନ୍ନ ଦୁର୍ନୀତିରେ ଲୁକ୍କାୟିତ ବଡ ମାଛଙ୍କ ଉଦାହରଣ ରଖିଛନ୍ତି । ଏସବୁ ଦୃଷ୍ଟିରୁ ତଥା ସରକାର ଓ ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ OPTCLର ଏହି ଦୁର୍ନୀତିର ପର୍ଦ୍ଦାଫାସ ଜରୁରୀ ।