ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ପରିଶ୍ରାଗାର ଭଗ୍ନ ଅବସ୍ଥାରେ

କୋମଳମତି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସରକାର ଗାଁ ଗୁଡିକରେ ଶିଶୁକଲ୍ୟାଣ ବିଭାଗ ଜରିଆରେ ଅଙ୍ଗନବାଡ଼ି ନିର୍ମାଣ କରିଛନ୍ତି । ଏଠାରେ ଛାତ୍ର ଛାତ୍ରୀ ମାନଙ୍କୁ ମାଗଣାରେ ଡ୍ରେସ୍,ଖାଇବା,ବ୍ୟାଗ ଆଦି ପ୍ରଦାନ କରାଯାଉଛି । ଏପରିକି କେନ୍ଦ୍ରକୁ ଆସୁଥିବା କୋମଳମତି ଶିଶୁ ମାନଙ୍କ ପାଇଁ ପରିଶ୍ରାଗାର ଏବଂ ଶୈଚାଳୟର ବ୍ୟବସ୍ଥା କରିଛନ୍ତି । କିନ୍ତୁ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ଉକ୍ତ ପରିଶ୍ରାଗାର କାର୍ଯ୍ୟକ୍ଷମ ପୂର୍ବରୁ ଭାଙ୍ଗିରୁଜି ଯାଇଥିବା ଜଣାପଡିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଣିଆ ବ୍ଳକ କରଡାପଡା ପଞ୍ଚାୟତ କଳାଶିମିଳି ଅଙ୍ଗନବାଡ଼ି କେନ୍ଦ୍ରରେ । ଏଠାରେ ପିଲାମାନେ ଝାଡ଼ା ପରିଶ୍ରା କରିବା ପାଇଁ ୩ଟି ପରିଶ୍ରାଗାର ଏବଂ ଶୈଚାଳୟ ନିର୍ମାଣ କରାଯାଇଛି ।

ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ଏହି ପରିଶ୍ରାଗାର ଏବେ ଭଗ୍ନ ଅବସ୍ଥାରେ । ପରିଶ୍ରାଗାରର ୩ଟି ଯାକ କବାଟ ଭାଙ୍ଗି ଯାଇଥିବା ବେଳେ ପାଇଖାନାରେ ଗୋଡ଼ି,ପଥର ଭର୍ତ୍ତି ହୋଇ ରହିଛି । ପାଇଖାନାରେ ଲାଗିଥିବା ଅନେକ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଗଲାଣି । ଏହି ଅଙ୍ଗନବାଡ଼ି ଚାରିପାଖରେ ପାଚେରୀ ନଥିବାରୁ କେହି ଅସାମାଜିକ ବ୍ୟକ୍ତି ଏଭଳି ଘଟଣା ଘଟାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତିି । ଏପରିକି ରକ୍ଷଣାବେକ୍ଷଣ ଅଭାବରୁ କାର୍ଯ୍ୟକ୍ଷମ ନହେବା ପୂର୍ବରୁ ନଷ୍ଟ ହୋଇଗଲାଣି । ଉଚ୍ଚ କତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।