ନଭେମ୍ବର ୬ ତାରିଖରୁ କାଉଂଟ୍‌ ଡାଉନ୍‌

୮୯ ଦିନ ଭିତରେ କ୍ଷମତାରୁ ହଟିବେ ବିଜେଡି ମୁଖିଆ…

ଭୁବନେଶ୍ୱର: ଏବେ ଧାମନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉକ୍ତ ଆସନଟି ବିଜେପି ହାତରେ ଅଛି । ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ଉକ୍ତ ଆସନରୁ ଉପନିର୍ବାଚନ ଲଢ଼ିବେ ବୋଲି ବିଜେପି ସ୍ପଷ୍ଟ କରିସାରିଛି । ମନୋନୟନ ପତ୍ର ଦାଖଲ ପାଇଁ ଅନ୍ତିମ ଦିବସ ହେଉଛି ଅକ୍ଟୋବର ୧୪ ତାରିଖ ଅପରାହ୍ଣ ୩ଟା । ମନୋନୟନ ପତ୍ର ଯାଂଚ କରାଯିବ ଅକ୍ଟୋବର ୧୫ ତାରିଖରେ । ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଅନ୍ତିମ ତାରିଖ ଅକ୍ଟୋବର ୧୭ । ନଭେମ୍ବର ୩ ତାରିଖ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଗ୍ରହଣ କରାଯିବ । ନଭେମ୍ବର ୬ ତାରିଖରେ ମତଗଣନା କରାଯିବ ଓ ସେହିଦିନ ଫଳାଫଳ ଘୋଷଣା କରାଯିବ ।

ନଭେମ୍ବର ୭ ତାରିଖରେ କ୍ଷମତାସୀନ ବିଜେଡିର କାଉଂଟଡାଉନ୍‌ ଆରମ୍ଭ ହୋଇଯିବ । ୮୯ ଦିନ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହଟାଇ ଦିଆଯିବ । ଧାମନଗର ଉପନିର୍ବାଚନରୁ ବିଜେପିର ଲୋକପ୍ରିୟତା ସ୍ପଷ୍ଟ ହୋଇଯିବ । ଅନ୍ୟପକ୍ଷରେ ଆସନଟିକୁ ଦଖଲ କରିବା ପାଇଁ ବିଜେଡି ମଧ୍ୟ କୌଣସି ଉପାୟକୁ ହାତଛଡ଼ା କରିବ ନାହିଁ । ନିକଟରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶା ଗସ୍ତ କରି କର୍ମୀମାନଙ୍କୁ ବିଜୟ ମନ୍ତ୍ର ପ୍ରଦାନ କରିଛନ୍ତି । ଉକ୍ତ ଗସ୍ତରୁ ବିଜେପି ଫାଇଦା ଉଠାଇବାକୁ ପ୍ରାଣମୁର୍ଚ୍ଛା ଉଦ୍ୟମ କରିବ ।

ବିଜେଡି ଅକ୍ଟୋବର ୨ ତାରିଖରୁ ମାସକ ପାଇଁ ରାଜ୍ୟବ୍ୟାପୀ ଅଭିଯାନ ଆରମ୍ଭ କରିଛି । ବିଜେପି ମଧ୍ୟ ତା’ର ଅଭିଯାନକୁ ଜୋରଦାର କରିଛି । କଂଗ୍ରେସର ‘ଭାରତ ଯୋଡେ଼ା’ ଅଭିଯାନକୁ ମା’-ପୁଅ-ଝିଅ ପରିଚାଳନା କରୁଛନ୍ତି । ସମସ୍ତେ ଆପଣା ରାସ୍ତାରେ ମାଡ଼ି ଚାଲିଛନ୍ତି । ସେମାନଙ୍କ ଅଭିଯାନ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ଆଉ କିଛି ରାଜନୈତିକ ଦଳ । ଯୋଉ ରାଜନୈତିକ ଦଳର ପତିଆରା ସବୁଠାରୁ ଆଗରେ ରହିବ; ସେହି ଦଳକୁ ସମର୍ଥନ କରିବାକୁ ଟାକି ବସିଛନ୍ତି ଛୋଟଛୋଟ ରାଜନୈତିକ ଦଳ । ମାତ୍ର ସବୁ ରାଜନୈତିକ ଦଳଠାରୁ ‘ଆମ ଜନତା ଦଳ’ ବା ଏଜେଡି ଟିକେ ଭିନ୍ନ ଆଭିମୁଖ୍ୟ ପୋଷଣ କରିଛି ।

ଏଜେଡି କହିଛି, ଧାମନଗର ଉପନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସର ପରିଣାମ ଦେଖିବା ପରେ ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ରଣ ଦୁନ୍ଦୁଭି ବଜାଇବ ଯାହାର ଧ୍ୱନି ୨୦୨୪ ଲୋକସଭା ଓ ବିଧାନସଭା ପର୍ଯ୍ୟନ୍ତ ସମସ୍ତଙ୍କୁ ଶୁଣାଯିବ ।

୨୦୧୯ ବିଧାନସଭା ନିର୍ବାଚନ ପରଠାରୁ ଚାରିଟି ଉପନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଚାରିଟି ଯାକ ଉପନିର୍ବାଚନ କ୍ଷମତାସୀନ ବିଜେଡି ସପକ୍ଷରେ ଯାଇଛି । ୨୦୨୦ ବାଲେଶ୍ୱର ଉପନିର୍ବାଚନରେ ବିଜେଡିର ସ୍ୱରୂପ ଦାସ ଜିତିଲେ; ଫଳରେ ଉକ୍ତ ଆସନଟି ବିଜେପି ହାତରୁ ଚାଲିଗଲା । ତିର୍ତୋଲ, ପିପିଲି ଓ ବ୍ରଜରାଜନଗର ଉପନିର୍ବାଚନରେ ବିଜେପିକୁ ପରାଜୟ ବରଣ କରିବାକୁ ପଡ଼ିଛି । ଧାମନଗର ଉପନିର୍ବାଚନ ପରେ ଆସୁଛି ପଦମପୁର ଉପନିର୍ବାଚନ । ପଦମପୁର ଉପନିର୍ବାଚନରେ ଓଡ଼ିଶା ନୂଆ ମୁଖ୍ୟମନ୍ତ୍ରୀ ପାଇବ ।