ପୁଣି ୪୨ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର, (ଏସ୍‌ ନ୍ୟୁଜ): ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ବି ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗୁନି । ୪୦ ତଳକୁ ଖସୁନି ଏହି ସଂଖ୍ୟା । ୨୪ ଘଣ୍ଟାରେ ଆଉ ୪୨ ସଂକ୍ରମିତଙ୍କ ଜୀବନ ନେଇଛି କରୋନା । ୧୪ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ କମୁନି କରୋନା ମୃତ୍ୟୁସଂଖ୍ୟା । ୨୪ ଘଣ୍ଟାରେ ଆଉ ୮ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏମାନଙ୍କ ଭିତରେ ଭୁବନେଶ୍ୱରରୁ ଅଛନ୍ତି ୫ ଜଣ । ବରଗଡ଼ ଜିଲ୍ଲାରୁ କରୋନା ଆଉ ୫ ଜଣଙ୍କର ଜୀବନ ନେଇଛି । ସେହିପରି ସୁନ୍ଦରଗଡ଼ ଜିଲ୍ଲାରୁ ୪ ଜଣ ପ୍ରାଣ ହରାଇଛନ୍ତି । ଅନୁଗୋଳ, ସମ୍ୱଲପୁର, ଝାରସୁଗୁଡ଼ା, ଗଞ୍ଜାମ ଜିଲ୍ଲାରେ ଆଉ ୩ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପୁରୀ, ନୟାଗଡ଼, କଳାହାଣ୍ଡି, ଯାଜପୁର, ଜଗତସିଂହପୁର, ଢେଙ୍କାନାଳ ଜିଲ୍ଲାରୁ ୨ ଜଣ ଲେଖାଏ ମୃତ୍ୟୁବରଣ କରିଛନ୍ତି । କେନ୍ଦୁଝରରୁ ଚିକିତ୍ସାଧୀନ ଅବସ୍ଥାରେ ଜଣେ ସଂକ୍ରମିତ ଆଖି ବୁଜିଛନ୍ତି । ରାଜ୍ୟରେ କରୋନା ଜନିତ ମୋଟ୍‌ ମୃତ୍ୟୁସଂଖ୍ୟା ୪ହଜାର ୧୯୬କୁ ବୃଦ୍ଧି ପାଇଛି ।