ଭୁବନେଶ୍ୱର : ରାଜ୍ୟ ସରକାର ବୁଧବାର ଦିନ ଆଂଶିକ ଲକଡାଉନ୍ ନିର୍ଦ୍ଦେଶାବଳୀ ଘୋଷଣା କରିଛନ୍ତି । ଯେଉଁଠାରେ ରାଜ୍ୟରେ କରୋନା ସଂକ୍ରମଣ ଧୀରେଧୀରେ ନିୟନ୍ତ୍ରଣକୁ ଆସୁଥିବା ବେଳେ ଆଜି ଠାରୁ ଆରମ୍ଭ ହୋଇଯାଇଛି ଜୁଲାଇ ମାସର ଲକଡ଼ାଉନ୍ ପ୍ରକ୍ରିୟା। ସକାଳ 6 ଟାରୁ 2 ଟା ପର୍ଯ୍ୟନ୍ତ ଦୋକାନ ଏବଂ ବ୍ୟବସାୟ ଖୋଲିବାକୁ ଅନୁମତି ମିଳିଛି । ଫଳରେ ଆଜି ରାସ୍ତାଘାଟରେ ନାହିଁ ନଥିବା ଭିଡ଼ ଜମିଛି। ସରକାର ଲକଡାଉନ୍ ସମ୍ପୂର୍ଣ୍ଣ ଉଠାଇ ନାହାନ୍ତି, ହେଲେ ଅଳ୍ପ କିଛି ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ତାହା ପୁଣି କିଛି ସମୟ ବ୍ୟବଧାନରେ। ତେବେ ଏହାରି ଭିତରେ ଭୁବନେଶ୍ୱର ଆଇଡ଼ି ମାର୍କେଟରେ ଥିବା ବିଶାଲ ମେଗା ମାର୍ଟ ଦେଖିବାକୁ ମିଳିଛି ନାହିଁ ନଥିବା ଭିଡ଼ । ଦୋକାନ ଭିତରେ କୋଭିଡ ନିୟମ ଉଲ୍ଲଂଘନ କରି ସାମଗ୍ରୀ ବିକ୍ରି କରୁଥିଲେ ଦୋକାନୀ। ବିଏମସି ଏନଫୋର୍ସମେଣ୍ଟ ଟିମ ଚଢାଉ କରି ଇନ୍ଦ୍ରଧନୁ ମାର୍କେଟସ୍ଥିତ ବିଶାଲ ମେଗାମାର୍ଟ ଓ ବିଗ୍ ବଜାର ସିଲ କରିଛି ବିଏମସି ।
ସେହିଭଳି ଗ୍ୟାରେଜ ଛକ ନିକଟ ଉତ୍କଳ ଇନ୍ ବାର ଓ ରେଷ୍ଟୁରାଣ୍ଟ ମଧ୍ୟ ସିଲ୍ ହୋଇଛି । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଏନଫୋର୍ସମେଣ୍ଟ ଟିମ ଚଢାଉ କରିଛି । ଗତକାଲି ବିଏମସି ଭୁବନେଶ୍ୱରର ବରମୁଣ୍ଡାରେ ଏକ ମଦ ଦୋକାନକୁ ସିଲ୍ କରିଥିଲା । କାରଣ ସେମାନେ କୋଭିଡ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିଥିଲେ ।
ସୂଚନା ଅନୁସାରେ ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ କଟକଣାକୁ ବଢ଼ାଇ ଦେଇଛନ୍ତି ସରକାର। ସେହିପରି ଅନେକ ଜିଲ୍ଲାରେ କଟକଣା କୋହଳ କରାଯାଇଛି। ଜୀବନ ଓ ଜୀବିକା ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଅଧିକ ବ୍ୟାବସାୟିକ କାରବାରକୁ ଅନୁମତି ମିଳିଛି ଓ ସମୟସୀମା ମଧ୍ୟ ବଢ଼ିଛି। ୨୦ ଜିଲ୍ଲାରୁ ସପ୍ତାହନ୍ତ ସଟଡାଉନ୍ ମଧ୍ୟ ଉଠାଇ ଦିଆଯାଇଛି। ତେବେ ସବୁ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି।