ଆଦିତ୍ୟ ଦାଶ ମାମଲାରେ ହେବ ‘ଲାଇ ଡିଟେକ୍ସନ୍ ଟେଷ୍ଟ୍‌’

ଭୁବନେଶ୍ବର(ଏସ୍ ନ୍ୟୁଜ): ସମାଜସେବୀ ଆଦିଶ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତରେ ନୂଆ ମୋଡ଼। ପୋଲିସକୁ ଷ୍ଟେଟମେଣ୍ଟ୍ ଦେଉଥିବା ବ୍ୟକ୍ତିବିଶେଷଙ୍କ କଥାରେ ତାଳମେଳ ରହୁନାହିଁ। ଏଣୁ ‘ଲାଇ ଡିଟେକ୍ସନ୍ ଟେଷ୍ଟ୍‌’ କରାଇବାକୁ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ୍ ‘ଷ୍ଟେଟ୍‌ ଫୋରେନ୍ସିକ୍ ସାଇନ୍‌ସ୍ ଲ୍ୟାବ୍‌’କୁ ଲେଖିଛି।

ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ବନ୍ଧୁ ତଥା ପିପୁଲ୍ସ ଫର୍ ସେବା ସଂଗଠନ ସଦସ୍ୟ ପପୁ, ବିକାଶ ଓ ପ୍ରୀତମ୍ଙ୍କ କ୍ଷେତ୍ରରେ ଏହି ଟେଷ୍ଟ କରାଯିବ। ଏଥିସହ ରାଜ୍ୟ କ୍ରାଇମ୍ ବ୍ରାଞ୍ଚ୍ ଘଟଣାର ସବିଶେଷ ବିବରଣୀ, ଏଫ୍‌ଆଇଆର୍ କପି ଓ ମାମଲାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କର ବୟାନର ରେକର୍ଡ ମଧ୍ୟ ଫୋରେନସିକ୍ ଲ୍ୟାବକୁ ପ୍ରଦାନ କରିଛି।

ଗତ ଜୁଲାଇ ୭ ତାରିଖରେ ଲିଙ୍ଗରାଜ ଷ୍ଟେସନ୍ ପାଖ ରେଳଧାରଣା ଉପରୁ ଆଦିତ୍ୟଙ୍କ ମୃତଦେହ ମିଳିଥିଲା। ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ, ମୁଣ୍ଡରେ ଭୀଷଣ ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ପରିବାର ଲୋକେ ଏବଂ ତାଙ୍କର ପ୍ରଶଂସକ ମାନେ ତାଙ୍କୁ ସୁପରିକଳ୍ପିତ ଭାବେ ହତ୍ୟା କରାଯାଇଥିବା ଆଶଙ୍କା କରୁଛନ୍ତି। ପୂର୍ବରୁ ସରକାରୀ ରେଳବାଇ ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଏବେ ତଦନ୍ତଭାର ରାଜ୍ୟ କ୍ରାଇମ୍ ବ୍ରାଞ୍ଚ୍କୁ ନ୍ୟସ୍ତ କରାଯାଇଛି।