କେନ୍ଦୁଝର: କେନ୍ଦୁଝର ଭଳି ଆଦିବାସୀ ଅଧ୍ଯୁଷିତ ପଛୁଆ ଜିଲ୍ଲାରେ ଶିକ୍ଷାକ୍ଷେତ୍ରରେ ରେ ସିଟିଜି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି । କେନ୍ଦୁଝର ସହର ଉପକଣ୍ଠ ନଇଗାଁସ୍ଥିତ ଶିକ୍ଷା ନିକେତନ ଠାରେ ଗୁରୁବାର ଘରୋଇ ଶିକ୍ଷାନୁଷ୍ଠାନ ସିଟିଜି ଫାଉଣ୍ଡେସନ’ର ୨୪ତମ ବାର୍ଷିକୋତ୍ସବରେ ଯୋଗଦେଇ ଅତିଥିଗଣ ଉପରୋକ୍ତ ବକ୍ତବ୍ୟ ପ୍ରଦାନ କରିଛନ୍ତି । ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଯାଜ୍ଞସିସ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତିଦ୍ବନ୍ଦିତାମୂଳକ ଯୁଗରେ ଛାତ୍ରଛାତ୍ରୀ କଠିନ ଅଧ୍ୟବସାୟ ବଳରେ ନିଜର ଉତ୍କର୍ଷତା ପ୍ରତିପାଦନ କରି ସମାଜରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଥିଲେ ।
କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିକ୍ଷାଦାନ କ୍ଷେତ୍ରରେ ସିଟିଜିର ଭୂମିକାକୁ ଉଚ୍ଚ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ବେଛାସେବୀ ସଙ୍ଗଠନ ଶତାବ୍ଦୀର ନିର୍ଦ୍ଦେଶକ ସଂଗ୍ରାମ ଦାସ, ସିଟିଜି ସମ୍ପାଦିକା ସୁଭଦ୍ରା ପଲେଇ ପ୍ରମୁଖ ସମ୍ମାନିତ ଅତିଥ୍ ଭାବେ ଯୋଗଦେଇ ନିଜସ୍ବ ବକ୍ତବ୍ୟ ରଖିଥିଲେ ।
ଅନୁଷ୍ଠାନର ଚେୟାରମ୍ୟାନ ରାଜେନ୍ଦ୍ର କୁମାର ପଲେଇ ସଭାପତିତ୍ବ ଅଭିଭାଷଣ ଦେଇଥିଲେ । ଏହି ଅବସରରେ ଅତିଥି ମାନଙ୍କଦ୍ୱାର ପରିଚିତ ଉପସ୍ଥାପିକା ସମୟଶ୍ରୀ ଚାଟାର୍ଜୀଙ୍କୁ ସିଟିଜି ପ୍ରତିଭା ସମ୍ମାନ-୨୦୨୪ ଏବଂ ଓଡିଶା କ୍ରିକେଟ ଦଳର ଯୁବ କ୍ରିକେଟର ଶୁଭମ ପ୍ରିୟଦର୍ଶୀ ଙ୍କୁ ‘ସିଟିଜି ରତ୍ନ- ୨୦୨୪’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ।
ପ୍ରାରମ୍ଭରେ ଅନୁଷ୍ଠାନର ଅଧ୍ୟାପିକା ପୂଜା ଅର୍ଚ୍ଚନା ମିଶ୍ର ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ଯକ୍ଷ ମାନସ ରଞ୍ଜନ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ ଇଂରାଜୀ ଅଧ୍ୟାପକ ଶଶିକାନ୍ତ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଗାୟିକା ଇଟୁନ ମହାପାତ୍ର ଓ ଅଭିନେତା ସ୍ୱରାଜଙ୍କ ଦ୍ବାରା ଏକ ଆକର୍ଷଣୀୟ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପ୍ରତିବର୍ଷ ପରି ମିସ୍ ସିଟିଜି ଓ ମିଷ୍ଟର ସିଟିଜି ଫେସନ ସୋ’ ଅନୁଷ୍ଠିତ ହୋଇଥିଲା ।