IIFL ବ୍ୟାଙ୍କ ଲୁଟ ପଛରେ କର୍ମଚାରୀଙ୍କ ହାତ, ଗିରଫ ୪ ଅଭିଯୁକ୍ତ

ଭୁବନେଶ୍ୱର(ଏସ୍ ନ୍ୟୁଜ ): ଲୁଟର ୬ ଦିନ ଭିତରେ ପୋଲିସକୁ ମିଳିଲା ବଡ ସଫଳତା । କଟକ ନୟାସଡକ ଅର୍ଥ ଯୋଗାଣକାରୀ ସଂସ୍ଥା ଅର୍ଥାତ ଆଇଆଇଏଫଏଲ(IIFL) ବ୍ୟାଙ୍କ ଲୁଟ ଘଟଣାର ପର୍ଦ୍ଦାଫାସ ହୋଇଛି । ୪ ଅଭିଯୁକ୍ତ ଗିରଫ କରିଛି କମିଶନରେଟ ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ,ଓଡିଶା ଇତିହାସର ଏହା ଏକ ବଡ ଡକାୟତି ଆଉ ଏଥିରେ ୨ କିଲୋ ସୁନା ସହ ୨ ବାଇକ ଜବତ ହୋଇଛି । ବର୍ତ୍ତମାନ ସୁଦ୍ଧା ତଦନ୍ତ ପ୍ରକ୍ରିୟା ଜାରି ରହିଛି ।’

ତେବେ ଘର ଢ଼ିଙ୍କି ହିଁ ସାଜିଥିଲା ଲୁଟର ମାଷ୍ଟରମାଇଣ୍ଡ। କାରଣ ୨ ଜଣେ କର୍ମଚାରୀ ହିଁ ବ୍ୟାଙ୍କରୁ ହଡପ କରିଥିବା ସୁନାକୁ ଲୁଟ ଦର୍ଶାଇଥିଲେ।ମାଷ୍ଟରମାଇଣ୍ଡ ଦୁଇଜଣ ହେଲେ କିଷାନ ଓ ଲାଲା ଅମିତ ରାୟ। ଅଡିଟରେ ଧରା ପଡିଯିବା ଭୟରେ ନିଜ ସାଙ୍ଗସାଥୀଙ୍କୁ ଲଗାଇ ଦୁଇଜଣ ଏଭଳି ଘଟଣାର ରଚନା କରିଥିଲେ । ଆଉ ଏଥିପାଇଁ ନିଜ ବଡ ଭାଇ ସହ ୪ ସାଙ୍ଗଙ୍କୁ ସାମିଲ କରିଥିଲେ। କେତେ ସୁନା ଟଙ୍କା ଯାଇଛି ତାର ଛାନ ଭିନ ପୋଲିସ କରୁଥିବା ବେଳେ ସବୁ କର୍ମଚାରୀ ତଦନ୍ତ ପରିସରଭୁକ୍ତ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ।

ତେବେ ଗତ ୧୯ ତାରିଖରେ ଆଇଆଇଏଫଏଲରୁ ଲୁଟ୍ ହୋଇଥିଲା । ବନ୍ଧୁକ ମୁନରେ ଦୁର୍ବୁତ୍ତମାନେ ଆସି ୧୨ କୋଟିରୁ ଉର୍ଧ୍ଵ ଟଙ୍କା ଓ ସୁନା ନେଇ ଚମ୍ପଟ ମାରିଥିଲେ।’