ଭୁବନେଶ୍ୱର (ଏସ ନ୍ୟୁଜ ): ଜଗତସିଂହପୁରର ନାବାଳିକାକୁ କଟକର ଚାଉଳିଆଗଞ୍ଜ ଥାନା ଅଧିନସ୍ଥ ଗତିରାଉତପାଟଣାର ଏକ ପରିତ୍ୟକ୍ତ ଚିକେନ ସେଣ୍ଟରରେ ୨୨ଦିନଧରି ଗଣଦୁଷ୍କର୍ମ କରିବା ଘଟଣାରେ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଛି କଂଗ୍ରେସ। ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁଙ୍କ ନେତୃତ୍ୱରେ କଂଗ୍ରେସର ଏକ ୫ ଜଣିଆ ପ୍ରତିନିଧି ଦଳ ରାଜ୍ୟ ମାନବାଧିକାର କମିଶନଙ୍କ ଉଦ୍ଦେଶ୍ୟରେ ରେଜିଷ୍ଟ୍ରାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ମୁଖପାତ୍ର ନିଶିକାନ୍ତ ମିଶ୍ର କଂଗ୍ରେସ ପକ୍ଷରୁ କରିଥିବା ଆବେଦନରେ ଘଟଣା ସଂପର୍କରେ ସବିଶେଷ ବିବରଣୀ ଅର୍ଥାତ୍ କେଉଁ ପରିସ୍ଥିତିରେ କ’ଣ ପାଇଁ ଏଭଳି ଘଟଣା ଘଟିଲା ଗୃହ ସଚିବ ପୋଲିସ ଡିଜିଙ୍କୁ ଜବାବ ମାଗିବା ପାଇଁ ଉଲ୍ଲେଖ କରାଯାଇଛି।ଏହାସହ ତୁରନ୍ତ ପୀଡିତା ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ, ସାମାଜିକ ସୁରକ୍ଷାରେ ପରିବାରକୁ ସାମିଲ କରିବା ସହିତ ପୀଡିତା ରୋଜଗାରକ୍ଷମ ହେବା ପର୍ଯ୍ୟନ୍ତ ତା’ର ସମସ୍ତ ଭରଣପୋଷଣ ଖର୍ଚ୍ଚ ଓ ମାଗଣା ଶିକ୍ଷା ଯୋଗାଇ ଦେବାକୁ ପିଟିସନ୍ରେ ଉଲ୍ଲେଖ କରାଯାଇଅଛି।
ଏହି ପ୍ରତିନିଧି ଦଳରେ ରଶ୍ମି ମହାପାତ୍ର, ଜିନେଶ ଦାସ ଓ ବିନ୍ଦୁଜା ଉପାଧ୍ୟାୟ ପ୍ରମୁଖ ସାମିଲ ହୋଇଥିଲେ।
ଅନ୍ୟପଟେ ଗିରଫ ୨ ଅଭିଯୁକ୍ତଙ୍କ ନାଁରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ସନ୍ତୋଷ ବେହେରା ଓ ରାକେଶ ରାଉତ।ଏହାବ୍ୟତୀତ ଅଭିଯୁକ୍ତଙ୍କ ନରେ ଅନ୍ୟ ଦଫାରେ ମାମଲା ହୋଇଛି ଓ ପୀଡ଼ିତାଙ୍କୁ କ୍ଷତିପୂରଣ ସହ ମାମଲା ନେଇ ଶୀଘ୍ର ଚାର୍ଜସିଟ ହେବ ବୋଲି କଟକ ଡିସିପି କହିଛନ୍ତି ।