Choudwar circle jail: ଚୌଦ୍ୱାର ସର୍କଲ ଜେଲ୍ ର ଆଖି ନାହିଁ କି ହାତ ନାହିଁ ।
ଦୁର୍ଦ୍ଦଶା ଦେଖିବାକୁ ରାଜ୍ୟ ସରକାରଙ୍କ ନିକଟରେ ଆଖି ନାହିଁ । କାମ କରିବା ପାଇଁ ହାତ ଅଭାବ । ଗୋଟିଏ ବାକ୍ୟରେ କହିଲେ, ଚୌଦ୍ୱାର ଜେଲ ଦଶା ଆଦୌ ଭଲ ନାହିଁ ।
ରାଜ୍ୟର ପୁରାତନ ଓ ପ୍ରମୁଖ ଜେଲ ଭିତରୁ ଚୌଦ୍ୱାର ସର୍କଲ ଜେଲ ଗୋଟିଏ । ଚୌଦ୍ୱାର ଜେଲରୁ କଏଦୀ ଚମ୍ପଟ ଓ ଅନ୍ତେବାସୀ ପିଟାପିଟି ମାମଲା ଗୋଟିଏ ନିତିଦିନିଆ ଘଟଣା ହୋଇଗଲାଣି ।
ଜେଲକୁ ପରିଚାଳନା କରିବା ପାଇଁ ଦକ୍ଷ ଓ ଅଭିଜ୍ଞ କର୍ମଚାରୀଙ୍କ ଅଭାବ ଏବେ ସାମ୍ନାକୁ ଆସିଛି ।
ଶୁଣିବାକୁ ମିଳୁଛି, ଚୌଦ୍ୱାର ଜେଲରେ ଦୀର୍ଘଦିନ ଧରି ପ୍ରାୟ ୪୦ ଭାଗ ପଦବୀ ଖାଲି ରହିଛି । ମାମୁଲି କର୍ମଚାରୀଙ୍କ ସହଯୋଗରେ ଜେଲ ସୁରକ୍ଷା ବ୍ୟବସ୍ଥା ଓ କଏଦୀଙ୍କ ଯତ୍ନ ନେବା ଅସମ୍ଭବ ମନେହୁଏ ।
ଚୌଦ୍ୱାର ଜେଲ ପାଇଁ ୧୧୮ଟି ୱାର୍ଡର ପଦବୀ ରହିଛି । ମାତ୍ର ସେଥିରୁ ୪୫ଟି ପଦବୀ ଲମ୍ବା ସମୟ ଧରି ଖାଲି ରହିଛି । ୭୩ ୱାର୍ଡରଙ୍କ ବଳରେ ଚୌଦ୍ୱାର ଜେଲ ପରିଚାଳନା କରିବା ସମ୍ଭବ ନୁହେଁ ।
ଜେଲରେ ଏବେ ୩୪ ଜଣ ମହିଳା କଏଦୀଙ୍କୁ ମିଶାଇ ମୋଟ ୧୦୩୪ କଏଦୀ ରହୁଛନ୍ତି ।
କଡା ସୁରକ୍ଷା ବଳୟରେ ରହୁଥିବା କଏଦୀଙ୍କ ପିଛା ଅନୁ୍ୟନ ୩ରୁ ୬ ଜଣ ୱାର୍ଡର ରହିବା ଜରୁରୀ ।
କିନ୍ତୁ ପ୍ରତି ସେଲ ପାଇଁ ଜଣେ ୱାର୍ଡରଙ୍କୁ ନିୟୋଜିତ କରାଯାଉଛି । ସମୟ ସମୟରେ ସେଲ ଦାୟିତ୍ୱରେ କୌଣସି ୱାର୍ଡରଙ୍କୁ ରଖାଯାଉନି ।
ଜେଲରେ ରହିଥିବା ଚାରିଟି ୱାଚ୍ ଟାୱାର ପାଇଁ ଅନୁ୍ୟନ ୨୪ ଜଣ ୱାର୍ଡରଙ୍କୁ ନିଯୁକ୍ତ କରାଯିବା କଥା ।