କେମିତି ଚାଲିଛି କଟକ ଐତିହାସିକ ବାଲିଯାତ୍ରା ପ୍ରସ୍ତୁତି
"ଅଙ୍ଗଦେଶର ଚୁଡ଼ି.. ବଙ୍ଗଦେଶର ଶାଢ଼ୀ.. କଳିଙ୍ଗ ଦେଶର ସାଧବ ପୁଅ ମୁଁ .. ବୋଇତ ଦେଇଛି ମେଲି"
ଗୀତଟି କାନରେ ପଡ଼ିଲେ, ଆଖି ଆଗରେ ନାଚିଯାଏ ଓଡ଼ିଶାର ନୌବାଣିଜ୍ୟ ପରମ୍ପରା । ଓଡ଼ିଶାର ପ୍ରାଚୀନ ନାମ କଳିଙ୍ଗ । ପ୍ରାଚୀନ କଳିଙ୍ଗକୁ ସମୃଦ୍ଧ କରିଥିଲା ନୌବାଣିଜ୍ୟ ।
ମହାନଦୀ କୂଳରୁ ବୋଇତ ମେଲାଣି ନେଉଥିଲା ବଙ୍ଗୋପ ସାଗର ଉପର ଦେଇ ସୁଦୂର ଜାଭା ସୁମାତ୍ରା ବୋର୍ଣ୍ଣିଓ ଶ୍ରୀଲଙ୍କା ଅଭିମୁଖେ । ବୋଇତରେ ଲଦା ଯାଇଥାଏ ଅଙ୍ଗ, ବଙ୍ଗ, କଳିଙ୍ଗ, କୋଶଳ, ମଗଧ, ସୁବର୍ଣ୍ଣପୁର, କାଂଚୀ ଦେଶରୁ ସଂଗୃହୀତ ଜିନିଷ ।
ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଦିନ ପ୍ରତୁ୍ୟଷରୁ ସାଧବ ଘର ଝିଅବୋହୁ ମା’ମାନେ ମହାନଦୀ କୂଳରେ ଠିଆ ହୋଇଥିବା ସୁସଜ୍ଜିତ ପାଲଟଣା ବୋଇତକୁ ପୂଜାର୍ଚ୍ଚନା କରୁଥିଲେ । ସେହି ପରମ୍ପରାକୁ ଆଜି ଯାଏ ପାଳନ କରି ଆସୁଛି ଓଡ଼ିଶା ।
ପ୍ରାଚୀନ କଳିଙ୍ଗର ନୌବାଣିଜ୍ୟ ପରମ୍ପରାକୁ ମନେପକାଇ ପ୍ରତିବର୍ଷ ମହାନଦୀ ପଠାରେ ଐତିହାସିକ ବାଲିଯାତ୍ରା ଆୟୋଜନ କରାଯାଉଛି । ବାଲିଯାତ୍ରା ପଡ଼ିଆରେ ତିନିଶହରୁ ଅଧିକ ଦେଶୀ ବିଦେଶୀ ଆଂଚଳିକ କମ୍ପାନୀ ପକ୍ଷରୁ ଷ୍ଟଲ ଖୋଲିବାକୁ ଯାଉଛି । ବାଳୁତ, କିଶୋର, ଯୁବକ ଯୁବତୀ ବୟସ୍କ ସବୁ ବୟସର ଲୋକଙ୍କୁ ସ୍ୱାଗତ କରିବା ପାଇଁ ବାଲିଯାତ୍ରା ସାଧବ ବୋହୂ ବେଶ ଧାରଣ କରିବାକୁ ଯାଉଛି ।
ଚଳିତ ବାଲିଯାତ୍ରା ପଡ଼ିଆରେ ପାଦ ଦେବା ମାତ୍ରେ ଆପଣଙ୍କୁ ଲାଗିବ ଆପଣ ପରୀ ରାଇଜରେ ପହଂଚି ଯାଇଛନ୍ତି । ଛୋଟବଡ଼ କମ୍ପାନୀ ମାଲିକମାନେ ବାଲିଯାତ୍ରାକୁ ଦୃଷ୍ଟିରେ ରଖି ନୂଆ ନୂଆ ସାମଗ୍ରୀ ପସରା ମେଲାଇବେ । ରାଜ୍ୟର ସବୁ ଜିଲ୍ଲାର ଲୋକମାନେ କଟକ ବାଲିଯାତ୍ରାକୁ ଆସିବେ । ଭାରତର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ ଲୋକମାନେ ବାଲିଯାତ୍ରା ପଡ଼ିଆକୁ ଆସିବେ । ମନଭରି ବାଲିଯାତ୍ରାକୁ ଉପଭୋଗ କରିବେ ।
ଏମିତି ଏକ ଆଶା ରଖି ରାଜ୍ୟ ସରକାର ଐତିହାସିକ ବାଲିଯାତ୍ରାକୁ ସଫଳ କରିବା ପାଇଁ ଉଦ୍ୟମ କରୁଛନ୍ତି । ରାଜ୍ୟ ସରକାରଙ୍କ ବାଲିଯାତ୍ରା ପ୍ରସ୍ତୁତିକୁ ଆପଣଙ୍କ ନିକଟରେ ପହଂଚାଇବା ପାଇଁ ଆମେ ଯାଇଥିଲୁ ମହାନଦୀ ପଠାକୁ । ଚଳିତ ବାଲିଯାତ୍ରା ବିରାଟ ଆକାର ଧାରଣ କରୁଛି ।
ବ୍ୟବସାୟୀ ଓ ଉପଭୋକ୍ତାଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରିବାର ଆୟୋଜନ କରାଯାଇଛି । ଚଳିତ ବାଲିଯାତ୍ରା ବିଗତ ବର୍ଷର ବାଲିଯାତ୍ରା ତୁଳନାରେ ବହୁତ ଖାସ୍ ।
ଆପଣଙ୍କ ମନକୁ ସନ୍ତୁଷ୍ଟ କଲା ଭଳି ସବୁ ଉପାଦାନ ବାଲିଯାତ୍ରାରେ ଖୁନ୍ଦିବାକୁ ଚେଷ୍ଟା କରିଛନ୍ତି ବାଲିଯାତ୍ରା ଆୟୋଜକ, କଟକ ମହାନଗର ନିଗମ, କଟକ ଜିଲ୍ଲା ପ୍ରଶାସନ, ରାଜ୍ୟ ପ୍ରଶାସନ, ପୁଲିସ ପ୍ରଶାସନ, ପାରା ମିଲିଟାରୀ ଫୋର୍ସ, ବିପର୍ଯ୍ୟୟ ପରିଚାଳନା ବିଭାଗ, ରେଡକ୍ରସ ସଂସ୍ଥା ଓ ଏକାଧିକ ସ୍ୱେଚ୍ଛାସେବୀ ସଂଗଠନ ।
ବାଲିଯାତ୍ରାକୁ ଆସୁଥିବା ଯାନବାହନ ରହଣୀ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଲୋକଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ଆକସ୍ମିକ ଦୁର୍ଘଟଣା ମୁକାବିଲା ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯାଇଛି ।
ବାଲିଯାତ୍ରା ପଡ଼ିଆରୁ ପ୍ରତ୍ୟେକ ଦିନ ଅଳିଆ ଆବର୍ଜନା ସଂଗ୍ରହ ଓ ଅପସାରଣ ବ୍ୟବସ୍ଥା କରାଯାଇଛି । ବାଲିଯାତ୍ରା ପରିବେଶକୁ ସ୍ୱଚ୍ଛ ଓ ପ୍ରଦୂଷଣମୁକ୍ତ ରଖିବା ପାଇଁ ପ୍ରଶାସନିକ ସ୍ତରରେ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି । କଟକ ବାଲିଯାତ୍ରା ଉଭୟ ବ୍ୟବସାୟୀ ଓ ଉପଭୋକ୍ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ।
ବାଲିଯାତ୍ରା ଆୟୋଜକ, ଶିଳ୍ପପତି, ବ୍ୟବସାୟୀ, ଦେଖଣାହାରୀ, ଉପଭୋକ୍ତା, କଟକ ମହାନଗର ନିଗମ, କଟକ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର । ସମସ୍ତଙ୍କ ମନରେ ଗୋଟିଏ ଆଶଙ୍କା ।
ପ୍ରଭୁ ଜଗନ୍ନାଥଙ୍କ କରୁଣାରୁ ଚଳିତ ବାଲିଯାତ୍ରାକୁ ଝଡ଼ବର୍ଷା ନ ଆସୁ । ସାମାନ୍ୟ ବର୍ଷା କଟକ ବାଲିଯାତ୍ରାକୁ ପାଣିକାଦୁଅରେ ଲଟପଟ କରିଦେବ । ବାଲିଯାତ୍ରାର ସରସତା ଚାଲିଯିବ ।