ମିଳିଲା ନୟାଗଡର ନିଖୋଜ ୩ ବର୍ଷୀୟା ଝିଅ ସ୍ବାତୀର ମୃତଦେହ-shaksi news

ନୟାଗଡ଼( ଏସ୍ ନ୍ୟୁଜ ): ଗତ ଶୁକ୍ରବାର ଠାରୁ ନୟାଗଡ ର ନିଖୋଜ ଥିବା ୩ ବର୍ଷୀୟା ଝିଅ ସ୍ବାତୀର ମୃତଦେହ ବଧିପାଟଣା ଗାଁ ପୋଖରୀରୁ ମିଳିଥିବା ଜଣାଯାଇଛି। ନିଖୋଜ ନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି ଆରମ୍ଭ କରି ଦେଇଥିଲେ ମଧ୍ୟ ଶିଶୁଟିର ପତ୍ତା ମିଳିପାରି ନ ଥିଲା।ପୂର୍ବରୁ ଉକ୍ତ ପୋଖରୀରେ ପୁଲିସ୍‌ ଖୋଜାଖୋଜି କରି କିଛି ପାଇ ନ ଥିବା ବେଳେ ଆଜି କିପରି ଓ କେଉଁଠୁ ମୃତଦେହ ଆସିଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତେବେ ମୃତଦେହଟି ଫୁଲି ଯାଇଥିବା ବେଳେ ତାହା କେବେଠୁ ସେଠାରେ ପଡ଼ିଛି ସେ ନେଇ ତନାଘନା ଆରମ୍ଭ କରିଦେଇଛି ପୁଲିସ୍‌। ପୋଖରୀ ନିକଟରୁ ଏକ ଠାକୁରାଣୀଙ୍କ ଲୁଗା ପଡ଼ିଥିବା ଦେଖିବାକୁ ମିଳୁଥିବା ବେଳେ ଏହାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସେପଟେ ‘ପରୀ’କୁ ହତ୍ୟା କରାଯିବା ସହ ତା’ର ଅଙ୍ଗ ତସ୍କରୀ କରାଯାଇଥିବା ନେଇ ତା ବାପାମା’ ଅଭିଯୋଗ କରିଥିବା ବେଳେ ପୁଣି ସେହି ଜିଲ୍ଲାରୁ ଆଉ ଏକ ପିଲା ଗାଏବ ଘଟଣା ପୁଲିସ୍‌କୁ ଅଡ଼ୁଆରେ ପକାଇ ଦେଇଛି। ଏହା ପଛରେ ମଧ୍ୟ ଅଙ୍ଗ ତସ୍କରୀ ରାକେଟ କାମ କରିଛି, ନା ଅନ୍ୟ କିଛି କାରଣରୁ ୩ ବର୍ଷର ଶିଶୁଟିକୁ ନିର୍ମମ ଭାବେ ହତ୍ୟା କରାଯାଇଛି, ସେ ନେଇ ଉଠିଛି ବହୁ ପ୍ରଶ୍ନ।

ସୂଚନାଯୋଗ୍ୟ, ରଣପୁର ବ୍ଲକ୍ ବଧିପାଟଣା ଗାଁ’ର ସଞ୍ଜୟ କୁମାର ସାହୁଙ୍କ ଝିଅ ହରପ୍ରିୟା ସାହୁ (ସ୍ବାତୀ, ୩ ବର୍ଷ) ଗତ ଶୁକ୍ରବାର ଦିନ ବାରିପଟେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା। କିଛି ସମୟ ପରେ ସ୍ବାତୀର ମା’ ବାରିପଟେ ଯାଇ ଖୋଜାଖୋଜି କରିଥିଲେ ହେଁ ଝିଅର କୌଣସି ପତ୍ତା ମିଳି ନ ଥିଲା। ଏ ନେଇ ପରିବାର ଲୋକେ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ରଣପୁର ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ତା ପୁଲିସ ଟିମ୍ ସହ ଗାଁ’ରେ ପହଞ୍ଚି ଖୋଜାଖୋଜି କରିଥିଲେ। ମାତ୍ର ସ୍ବାତୀକୁ ପାଇ ନ ଥିଲେ।