ନେପାଳ ଛାତ୍ରୀଙ୍କ ମୃତ୍ୟୁ ମାମଲା: ୬ ଜଣ କିଟ୍‌ ଅଧିକାରୀଙ୍କୁ ଡକରା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌) ବିଶ୍ୱବିଦ୍ୟାଳୟର ୬ ଜଣ ଅଧିକାରୀଙ୍କ ନିକଟକୁ ନୋଟିସ୍‌ ପଠାଯାଇଛି । କିଟ୍‌ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ନେପାଳ ଛାତ୍ରୀଙ୍କ ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ୱ ବହନ କରିଥିବା ଉଚ୍ଚସ୍ତରୀୟ କମିଟି ସଂପୃକ୍ତ ଅଧିକାରୀଙ୍କୁ ଜେରା କରିବ ।

ସୂଚନା ମୁତାବକ, କିଟ୍‌ ଅଧିକାରୀ ପିକେ ପଟ୍ଟନାୟକ, ସଂହିତା ମିଶ୍ର, ସ୍ମାରିକା ପତି, ଇପ୍‌ସିତା ଶତପଥୀ, ସିଦ୍ଧାର୍ଥ ରାୟଙ୍କ ସମେତ ଅନ୍ୟ ଜଣେ ଅଧିକାରୀଙ୍କୁ ଫେବୃଆରୀ ୨୭ ତାରିଖ ଦିନ କମିଟି ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ନେପାଳ ଛାତ୍ରୀ ପ୍ରକୃତି ଲାମସାଲଙ୍କ ମୃତ୍ୟୁକୁ କେନ୍ଦ୍ର କରି ଛାତ୍ରଛାତ୍ରୀ, ଅଭିଭାବକଙ୍କ ମହଲରେ ନାନା ଆଶଙ୍କା ଦାନା ବାନ୍ଧିଲାଣି । କଂଗ୍ରେସ ପକ୍ଷରୁ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗିରଫଦାରି ଦାବି କରାଯାଇଛି । କିଟ୍‌ ଛାତ୍ରଛାତ୍ରୀଙ୍କ ପ୍ରତି କିଟ୍‌ ଅଧିକାରୀଙ୍କ ଅଭଦ୍ରୋଚିତ ଆଚରଣ କ୍ରମେ ଚରମ ସୀମାରେ ପହଂଚିଛି ବୋଲି ଏକ ଚାପା ଗୁଞ୍ଜରଣ ଶୁଣିବାକୁ ମିଳୁଛି ।