ଘରୋଇ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଦାବି
ଅଖିଳ ଭାରତ ଦଳିତ ଅଧିକାର ଆନ୍ଦୋଳନ (ଏଆଇ ଡିଆରଏମ୍) ରାଜ୍ୟସ୍ତରୀୟ …..
ଭୁବନେଶ୍ୱର: ଅଖିଳ ଭାରତ ଦଳିତ ଅଧିକାର ଆନ୍ଦୋଳନ (ଏଆଇ ଡିଆରଏମ୍) ରାଜ୍ୟସ୍ତରୀୟ କନ୍ଭେନସନ ଭୁବନେଶ୍ୱର ଅଶୋକ ନଗରସ୍ଥିତ ଭଗବତୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ବାବାଜୀ ଜେନା, ରାଣୀମୋତି ଛତ୍ରିଆ, ସୀମାଂଚଳ ବେହେରାଙ୍କୁ ନେଇ ଗଠିତ ସଭାପତିମଣ୍ଡଳୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ କନ୍ଭେନ୍ସନ୍ରେ ଦାମୋଦର ବେହେରା ଏକ ଭିତିପତ୍ର ଉପସ୍ଥାପନ କରିଥିଲେ।
ଏହି କନ୍ଭେସନରେ ସିପିଆଇ ଜାତୀୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ରାମକୃଷ୍ଣ ପଣ୍ଡା, ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ର ଉଦ୍ବୋଧନ ଦେଇ ଶତାବ୍ଦୀ ଶତାବ୍ଦୀ ଧରି ଜାତିଆଣ ବିଦ୍ୱେଷ, ଘୃଣା, ହିଂସା, ଭିଡ଼ ହତ୍ୟାର ଶିକାର ହୋଇ ଆସିଥିବା ଦଳିତ ସମାଜ ଉପରୁ ସାମାଜିକ ଶୋଷଣ ନିର୍ଯାତନା ବନ୍ଦ ପାଇଁ ବାବା ସାହେବ ଡଃଭୀମରାଓ ଆମ୍ବେଦକରଙ୍କ ଦ୍ୱାରା ପ୍ରଣିତ ଭାରତୀୟ ସମ୍ବିଧାନରେ ବ୍ୟବସ୍ଥା ଥିଲେ ମଧ୍ୟ ସମ୍ବିଧାନ ପ୍ରଣୟନର ୭୭ ବର୍ଷରେ ଉପନିତ ହୋଇଥିଲେ ବି ଏହାର ସୁଫଳରୁ ସଂଖ୍ୟାଗରିଷ୍ଠ ଦଳିତବର୍ଗଙ୍କୁ ବଂଚିତ କରାଯାଇଥିବାର ସୂଚନା ଦେଇ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ।
ଦଳିତଙ୍କ ପାଇଁ ଥିବା ସାମ୍ବିଧାନିକ ଅଧିକାର ଓ ଆଇନଗତ ଅଧିକାର ହାସଲ ପାଇଁ ଦଳିତ ଅଧିକାର ଆନ୍ଦୋଳନକୁ ପଡ଼ା, ବସ୍ତି, ଗ୍ରାମ, ଗ୍ରାମ ପଂଚାୟତ, ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରରେ ବ୍ୟାପକ କରିବାକୁ ଆହ୍ୱାନ ଦେଇଥିଲେ। ଘରୋଇ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସ୍ଥାନ ସଂରକ୍ଷଣକୁ ସୁନିଶ୍ଚିତ କରିବା ସହ ଜାତି ନାମରେ ନାମିତ ବସ୍ତି, ପଡ଼ା, ସାହି ଅଥବା ଗ୍ରାମର ନାମ ପରିବର୍ତନ କରି ମହାପୁରୁଷମାନଙ୍କ ନାମରେ ନାମିତ କରିବା ଦାବିରେ ରାଜ୍ୟବ୍ୟାପୀ ଆନ୍ଦୋଳନ ସଙ୍ଗଠିତ କରିବା ପାଇଁ ଆଗତ ପ୍ରସ୍ତାବ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଅଛି।