ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡର ବେଲଘର ରେଞ୍ଜ ଅନ୍ତର୍ଗତ ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତୁ୍ୟ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ୩ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ବେଲଘର ରେଞ୍ଜ ଝିରିପାଣି ଗାଁର କ୍ଷମା ପାତ୍ର (୭୬), ବୃଷଭ ପାତ୍ର (୪୪) ଓ ଗୋକୁଳ ପାତ୍ର (୪୧) । ଏମାନେ ମୁଣ୍ଡୁଟି ଜଙ୍ଗଲରେ ଜାନୁଆରୀ ୪ରେ ବାରହା ଶିକାର କରିବା ପାଇଁ ବିଦୁ୍ୟତ୍ ତାର ବିଛାଇଥିଲେ । ବିଦୁ୍ୟତ୍ ତାର ସଂସ୍ପର୍ଶରେ ବାରହା ବଦଳରେ ଗୋଟିଏ ହାତୀ ଆସିଥିଲା ଓ ମରିଗଲା । ହାତୀ ମୃତୁ୍ୟ ଘଟଣାର ତଦନ୍ତ କରି ବନ ବିଭାଗ ତିନିଜଣ ଶିକାରୀଙ୍କୁ ଧରିଥିଲା । ସେମାନଙ୍କୁ ଜେରା ସମୟରେ ଡେପୁଟି ରେଞ୍ଜରଙ୍କ ନାମ ସାମ୍ନାକୁ ଆସିଥିଲା । ଅଭିଯୁକ୍ତ ଶିକାରୀଙ୍କ ନିକଟରୁ ଦେଶୀ ବନ୍ଧୁକ, ବିଦୁ୍ୟତ ତାର, ଛାଲ, ସିଂଘ ସମେତ ବନ୍ୟ ଜୀବଜନ୍ତୁଙ୍କ କଙ୍କାଳ ଜବତ କରିଥିଲା ବନ ବିଭାଗ । ବେଲଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତୁ୍ୟ ଘଟଣାରେ ଏ ଯାବତ ୬ ଜଣ ଶିକାରୀ, ଫେରାର ଡେପୁଟି ରେଞ୍ଜରଙ୍କ ଡ୍ରାଇଭର, ଜେସିବି ଅପେରେଟର ସମେତ ମୋଟ ୧୦ ଜଣଙ୍କୁ ଜେଲକୁ ପଠାଗଲାଣି ।
ହାତୀ ମୃତୁ୍ୟ ଘଟଣାକୁ ଚପେଇଦେବାକୁ ଉଦ୍ୟମ କରି ଅଭିଯୁକ୍ତମାନେ ହାତୀ ମୃତଦେହକୁ ୩୨ଖଣ୍ଡ କରି ପୋତି ଦେଇଥିଲେ ।
ଫେରାର ଡେପୁଟି ରେଞ୍ଜର ବିନୟ କୁମାର ବିଶିଙ୍କୁ ନିଲମ୍ବନ କରାଯାଇଛି । ତାଙ୍କ ବିରୋଧରେ ଉଚ୍ଚ କର୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି । ତଦନ୍ତ ରିପୋର୍ଟକୁ ଚପେଇଦେବା ଅଭିଯୋଗରେ ଏସିଏଫ ସୂର୍ଯ୍ୟକାନ୍ତ ବେହେରାଙ୍କୁ ନିଲମ୍ବନ କରାଯାଇଛି ।