ଉପବାଚସ୍ପତି ରଜନୀକାନ୍ତ ସିଂଙ୍କୁ କରୋନା

ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତାକାଲି ଆରମ୍ଭ ହେବାକୁ ଥିବାବେଳେ ଉପବାଚସ୍ପତି ରଜନୀକାନ୍ତ ସିଂ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ସୋସିଆଲ ମିଡିଆ ଯୋଗେ ଜଣାଇଛନ୍ତି।

ଅନୁଗୋଳ ଆସନରୁ ବିଧାୟକ ଥିବା ରଜନୀକାନ୍ତ ଏବେ ସମ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ସାମାନ୍ୟ ଜ୍ୱର ହୋଇଥିବା ସେ ଜଣାଇଛନ୍ତି। ସେ ଖୁବଶୀଘ୍ର ସୁସ୍ଥ ହେବାସହ ଲୋକଙ୍କ ସେବାରେ ପୁନର୍ବାର ନିଜକୁ ନିୟୋଜନ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି।

ଗତକାଲି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ କରୋନା ହୋଇଥିବା ସେ ଜଣାଇଥିଲେ। ଆଜି ବିଧାୟକ ଉମା ସାମନ୍ତରାୟ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ବିଜେଡିର ବହୁ ମନ୍ତ୍ରୀ ଓ ବିଧାୟକ ଏବେ କରୋନା କବଳରେ। ଅନ୍ୟପଟେ ବିଧାନସଭା ପରିସରରେ ହୋଇଥିବା ପ୍ରଥମ ଦିନର କରୋନା ଟେଷ୍ଟ ପରେ ବିଧାୟକ, ଅଧିକାରୀ, ସାମ୍ବାଦିକଙ୍କୁ ମିଶାଇ ମୋଟ ୧୩୬ ଜଣ ପଜିଟିଭ ବାହାରିଛନ୍ତି।