ଭୁବନେଶ୍ୱର,(ଏସ୍ ନ୍ୟୁଜ): ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହେବା ପରେ ପୁଣି ଥରେ ତଦନ୍ତ ପରିସର ଭୁକ୍ତ ହେବେ ଡିଏଫ୍ଓ । ଶନିବାର ରାଜ୍ୟ ସରକାର ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ । କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏତଲାରେ ରହିଥିବା ସମସ୍ତ ନାମକୁ ପୁନର୍ବାର ଜେରାରେ ସାମିଲ କରାଯିବ । ଫଳରେ ଡିଏଫ୍ଓ ଏବଂ ରୋଷେୟାକୁ ପୁନର୍ବାର ଜେରା କରାଯିବା ସ୍ପଷ୍ଟ ହୋଇଛି ।
ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟ ରଞ୍ଜନ ମହାପାତ୍ର ପୋଡି ହୋଇ ମୃତ୍ୟୁବରଣ କରିଥିବା ବେଳେ ଇତି ମଧ୍ୟରେ ମୃତ୍ୟୁକୁ ପୁରିଛି ଏକ ମାସ । ଏଯାଏଁ କୌଣସି ନିଷ୍କର୍ସ ମିଳିନଥିବା ବେଳେ ଡିଏଫଓ ଏବଂ ରୋଷେୟାଙ୍କୁ ମଧ୍ୟ କ୍ଲିନ୍ ଚିଟ୍ ପ୍ରଦାନ କରାଯାଇସାରିଛି । ତେବେ ମାମଲା କ୍ରାଇମବ୍ରାଞ୍ଚ ହାତକୁ ଯିବା ପରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ପୁନର୍ବାର ଜେରାର ସମ୍ମୁଖୀନ ହେବେ ବୋଲି ଜଣାପଡିଛି । ପୂର୍ବରୁ ସୌମ୍ୟଙ୍କ ପରିବାର ଲୋକ ବିଦ୍ୟାଭାରତୀ ଏବଂ ଡିଏଫ୍ଓଙ୍କ ଅନୈତିକ ସମ୍ପର୍କ ରହିଥିବା ନେଇ ଅଭିଯୋଗ କରିଥିବା ବେଳେ ବାସ୍ତବ ସତ୍ୟ କଣ ତାହା ଆଗକୁ ଜଣାପଡିବ ।