ନୂଆଦିଲ୍ଲୀ ସ୍ଥିତ ବାସଭବନରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ବୈଠକ
*ସଠିକ୍ ସମୟରେ ତୈଳ ଓ ଗ୍ୟାସ ପ୍ରକଳ୍ପର କ୍ରିୟାନ୍ୱୟନ ଉପରେ ଗୁରୁତ୍ୱାରୋପ
*ବୈଠକ ଫଳପ୍ରଦ ହେବା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍
ନୂଆଦିଲ୍ଲୀ/ଭୁବନେଶ୍ୱର,(ଏସ୍ ନ୍ୟୁଜ୍) ଅଗଷ୍ଟ ୦୮: ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ତୈଳ ଏବଂ ଗ୍ୟାସ ପ୍ରକଳ୍ପର ଅଗ୍ରଗତି ଏବଂ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ବିଷୟରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ନୂଆଦିଲ୍ଲୀ ସ୍ଥିତ ନିଜର ବାସଭବନରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ସହ ସାକ୍ଷାତ୍ ଆଲୋଚନା କରିଛନ୍ତି ।
ଏହି ବୈଠକରେ ରାଜ୍ୟରେ ତୈଳ ଓ ଗ୍ୟାସ ପ୍ରକଳ୍ପର ସଠିକ୍ କ୍ରିୟାନ୍ୱୟନ ବିଶେଷ ଭାବରେ ପେଟ୍ରୋକେମିକାଲ୍ସ, ସିଟି ଗ୍ୟାସ ବିତରଣ(ସିଜିଡି), ଇଥାନଲ, ସିବିଜି, ଏଲପିଜି, ପାଇପଲାଇନ, ଅନ୍ୱେଷଣ ଏବଂ ଉତ୍ପାଦନ(ଇ ଏବଂ ପି) କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି ନେଇ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ । ବୈଠକ ଫଳପ୍ରଦ ହୋଇଥିବା କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।
ସଠିକ୍ ସମୟରେ ଇନ୍ଧନ କ୍ଷେତ୍ରରେ ପ୍ରକଳ୍ପର କ୍ରିୟାନ୍ୱୟନ କରାଗଲେ ପୂର୍ବ ଭାରତର ଉର୍ଜା ପ୍ରବେଶ ପଥ ଭାବରେ ଓଡ଼ିଶା ପ୍ରତିଷ୍ଠିତ ହେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ “ପୂର୍ବୋଦୟ” ସ୍ୱପ୍ନକୁ ସାକାର କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।