‘ଶ୍ରମିକ ସ୍ପେଶାଲ ଟ୍ରେନ୍’ ପୁଣି ଚାଲୁ, ଧର୍ମେନ୍ଦ୍ର ଲେଖିଲେ ଚିଠି

ଭୁବନେଶ୍ୱର(ଏସ୍ ନ୍ୟୁଜ): ଦେଶ ଅର୍ଥନୀତିର ପୁନରୁଦ୍ଧାର ତଥା ପ୍ରବାସୀ ଓଡିଆ ଲୋକଙ୍କ ଜୀବନଜୀବିକାକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଏକ ଚିଠି ଲେଖିଛନ୍ତି। ଓଡ଼ିଶାରୁ ଗୁଜୁରାଟ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟକୁ ପୁର୍ନବାର ‘ଶ୍ରମିକ ସ୍ପେଶାଲ ଟ୍ରେନ୍’ ଚାଲୁ କରିବା ପାଇଁ ପତ୍ର ଜରିଆରେ ଅନୁରୋଧ କରିଛନ୍ତି।

ଧର୍ମେନ୍ଦ୍ର ଲେଖିଛନ୍ତି ଯେ, ‘ଦେଶସାରା ଲକ୍ ଡାଉନକୁ ପ୍ରତ୍ୟାହାର କରାଯାଉଥିବା ବେଳେ ଏବେ ଆମେ ସମସ୍ତେ ସ୍ୱାଭାବିକ ସ୍ଥିତିକୁ ଫେରୁଛୁ । ଏହି ସମୟରେ ବାହାରେ କାମ କରୁଥିବା ଲୋକମାନଙ୍କ ପାଇଁ ପୁନର୍ବାର ରେଳସେବା ଆରମ୍ଭ ହେବାର ଆବଶ୍ୟକତା ରହିଛି । ଏହି ଲୋକମାନଙ୍କ ପାଇଁ ଓଡିଶାରୁ ବସ୍ ସେବା ଯୋଗାଇଦେବା ପାଇଁ କିଛି ସଂସ୍ଥା ଇଚ୍ଛାପ୍ରକାଶ କରିଛନ୍ତି । ତେବେ ବର୍ତ୍ତମାନ ମୌସୁମୀ ପରିସ୍ଥିତିରେ ସଡ଼କ ପଥ ମାଧ୍ୟମରେ ଦୂର ବାଟ ଯାତ୍ରା କରିବା ସେମାନଙ୍କ ପାଇଁ ନିରାପଦ ନୁହେଁ’ ।

ଗଞ୍ଜାମ ଜିଲ୍ଲାରେ ବାସ କରୁଥିବା ଅନେକ ପ୍ରବାସୀ ଓଡିଆମାନେ ଗୁଜୁରାଟ ଏବଂ ଅନ୍ୟ ରାଜ୍ୟକୁ ରେଳ ସେବା ଚାଲୁ କରିବା ପାଇଁ ତାଙ୍କୁ ଅନୁରୋଧ କରିଥିବା ଧର୍ମେନ୍ଦ୍ର ଜଣାଇଛନ୍ତି। ଜୀବନଜୀବିକା ପାଇଁ ସୁଯୋଗର ଅଭାବ ଥିବା ଏବଂ ପୁଣି କାର୍ଯ୍ୟକ୍ଷେତ୍ରରେ ଯୋଗଦେବା ପାଇଁ ଯିବାରେ ଅସୁବିଧା ହେଉଥିବା ସେମାନେ ଦର୍ଶାଇଛନ୍ତି ।

କୋଭିଡ୍ -୧୯ ତଥା ଲକ୍ ଡାଉନ ସମୟରେ ଗୁଜୁରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର ଭଳି ରାଜ୍ୟରୁ ପ୍ରବାସୀମାନେ ଓଡିଶାକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ରେଳ ମନ୍ତ୍ରଣାଳୟର ସହଯୋଗ ଓ ଉଦ୍ୟମ କାରଣରୁ ଦେଶର କୋଣ ଅନୁକୋଣରୁ ହଜାର ହଜାର ‘ଶ୍ରମିକ ସ୍ପେଶାଲ୍ ଟ୍ରେନ୍‌’ ମାଧ୍ୟମରେ ଘରକୁ ଫେରିପାରିଥିଲେ ।ଏହି ଉଦ୍ୟମକୁ ସର୍ବତ୍ର ପ୍ରଶଂସା କରାଯାଇଥିଲା ।