ଚମ୍ପୁଆ ମହତାବ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ

ଜ୍ଞାନ ହିଁ ଶକ୍ତି (Knowledge is Power)। ଜ୍ଞାନରୁ ଆମକୁ ଶକ୍ତି ମିଳିଥାଏ । ରାଜ୍ୟରେ ଶିକ୍ଷା ପରିବେଶକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ବୋଲି କେନ୍ଦୁଝର ଜିଲ୍ଲା ଚମ୍ପୁଆ ମହତାବ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦବୋଧନ ଦେଇ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଲେ ଯ, ପୂର୍ବରୁ ଶିକ୍ଷା ବିଭାଗ ଅନେକ ସମସ୍ୟା ଦେଇ ଗତି କରୁଥିଲା । ଯେଉଁମାନେ ଶାସନ କରୁଥିଲେ ସେମାନେ କିଛି ତ୍ରୁଟି ରଖିଥିଲେ । ସେହି ସମସ୍ୟା ଗୁଡିକର କିପରି ସମାଧାନ ହୋଇ ପାରିବ ସେ ନେଇ ଆମ ସରକାର କାର୍ଯ୍ୟ କରୁଛନ୍ତି । ଆମ ସରକାର ଶାସନକୁ ଆସିବା ପରେ ପ୍ରାଥମିକ ଶିକ୍ଷା ଭିତ୍ତିଭୂମି ଓ ଶିକ୍ଷା ବାତାବରଣକୁ ସୁଦୃଢ କରିବା ପାଇଁ ୧୬୦୦୯ ଜଣ ପ୍ରାଥମିକ ଶିକ୍ଷକ ନିଯୁକ୍ତ କରିଛନ୍ତି । ରାଜ୍ୟରେ ଡ୍ରପ ଆଉଟ୍ ହାର ରୋକିବା ଏବଂ ଗୁଣାତ୍ମକ ଶିକ୍ଷା ପାଇଁ ଆମ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

 

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଦେଶ ତଥା ରାଜ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ଶତ ବାର୍ଷିକୀ ପାଳନ କରୁଥିବା ବେଳେ, ଏହି ଐତିହାସିକ ଅନୁଷ୍ଠାନ ମଧ୍ୟ ତା’ର ୭୫ ତମ ସ୍ବନକ୍ଷେତ୍ର ପାଳନ କରୁଛି । ଏହି ବିଦ୍ୟାଳୟ ନିରନ୍ତର ଭାବେ ଚମ୍ପୁଆ ଉପଖଣ୍ଡ, ସୀମନ୍ତ ଝାଡଖଣ୍ଡ ଓ ମୟୂରଭଞ୍ଜ ଜିଲ୍ଲାର ବହୁ ଛାତ୍ରଛାତ୍ରୀଙ୍କୁ ପାଇଁ ଗଢି ତୋଳିବା ସହିତ ଶିକ୍ଷାର ଆଲୋକବର୍ତ୍ତିକା ହୋଇ କାର୍ଯ୍ୟ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ପ୍ରାକୃତିକ ସମ୍ପଦରେ ଭରପୁର କେନ୍ଦୁଝର ଜିଲ୍ଲାର ସାମଗ୍ରୀକ ବିକାଶ ଉପରେ ମତଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ସମସ୍ତ ଖଣିଜ ସମ୍ପଦ ଥିଲେ ମଧ୍ୟ କେନ୍ଦୁଝର ଜିଲ୍ଲା ଅବହେଳିତ ହୋଇ ରହିଥିଲା। ଏବେ ଏହାର ବିକାଶ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି । କେନ୍ଦୁଝରର ବିକାଶ କିପରି ହେବ ସେ ନେଇ ଆମେ ସମସ୍ତେ ପ୍ରତିବଦ୍ଧ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଏଥି ସହିତ ଜିଲ୍ଲାରେ ରହିଥିବା ଅନ୍ୟାନ୍ୟ ସମସ୍ୟାର ସମାଧାନ ହୋଇ ପାରିବ ସେ ନେଇ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ ଲୋଡିଥିଲେ ।